
ଝାରସୁଗୁଡା, ୭ ଏପ୍ରିଲ୍ (ହି.ସ.)- ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସୁବିଧାଜନକ ଯାତାୟାତ ପାଇଁ ବସ୍ ସେବା ଆରମ୍ଭ କରିଥିବା ସତ୍ତ୍ୱେ କେତେକ ସ୍ଥାନରେ ଯାତ୍ରୀମାନେ ଅସୁବିଧା ଓ ଦୁର୍ବ୍ୟବହାରର ସମ୍ମୁଖୀନ ହେଉଛନ୍ତି। ଏପରି ଏକ ଘଟଣା ଝାରସୁଗୁଡା-ଲଇକେରା ରୁଟ୍ ରେ ଦେଖିବାକୁ ମିଳିଛି।
ସୂଚନାନୁସାରେ, ସକାଳ ୯ଟା ସମୟରେ ଜଣେ ମହିଳା ଯାତ୍ରୀ ତାଙ୍କର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପୁଅ ସହିତ ଝାରସୁଗୁଡାରୁ ଲଇକେରା ଯାଉଥିଲେ। ବସ୍ କଣ୍ଡକ୍ଟର ତାଙ୍କ ପୁଅଙ୍କୁ କଲେଜ ଛାତ୍ର ଭାବେ ଦର୍ଶାଇ ୨୩ ଟଙ୍କା ଏବଂ ମହିଳାଙ୍କୁ ୨୩ ଟଙ୍କା ଭଡା ଗ୍ରହଣ କରିଥିଲେ। ମହିଳା ୫୦ ଟଙ୍କା ଦେଇଥିବା ସତ୍ତ୍ୱେ ଅବଶିଷ୍ଟ ୪ ଟଙ୍କା ଫେରସ୍ଥ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏହା ପରେ ଅପରାହ୍ନ ୪ଟାରେ ଫେରୁଥିବା ବେଳେ ସେହି କଣ୍ଡକ୍ଟର ଦୁଇ ଜଣଙ୍କ ପାଇଁ ୭୦ ଟଙ୍କା ଭଡା ଚାହିଁଥିଲେ। ସକାଳେ ୪୬ ଟଙ୍କା ଦେଇଥିବାରୁ ଫେରାଇବା ପରିବର୍ତେ ଅଧିକ ଭଡା କାହିଁକି ନେଉଛନ୍ତି ବୋଲି ପଚାରିବାରୁ କଣ୍ଡକ୍ଟର ମହିଳାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହି ସମୟରେ ଅନ୍ୟ ଜଣେ ମହିଳା ଯାତ୍ରୀ, ଯିଏ ଲଇକେରାରୁ କିର୍ମିରା ପର୍ଯ୍ୟନ୍ତ ଯାଉଥିଲେ, ସେ ୧୩ ଟଙ୍କା ଦେଇ ଟିକେଟ କରିଥିଲେ ଓ ପୂର୍ବ ଘଟଣାକୁ ନେଇ ବିରୋଧ କରିଥିଲେ। ଏହାର ପରିଣାମ ସ୍ଵରୂପ କଣ୍ଡକ୍ଟର ମଝିରାସ୍ତାରେ ସେହି ମହିଳାଙ୍କୁ ଏକାକୀ ଓହ୍ଲାଇ ଦେଇ ବସ୍ ନେଇ ପଳାଇଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ଜଣ ମହିଳା ଯାତ୍ରୀଙ୍କ ସହ ହୋଇଥିବା ଦୁର୍ବ୍ୟବହାର ଉପରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ