ଜନଶୁଣାଣି ବାତିଲ ପାଇଁ ସରପଞ୍ଚଙ୍କ ଦାବି
ଝାରସୁଗଡ଼ା, ୭ ଏପ୍ରିଲ୍ (ହି.ସ.)- ଲୋଇସିଂହ ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗ୍ରାମରେ ଏନ୍ଟିପିସି ଦର୍ଲିପାଲି ପକ୍ଷରୁ ପ୍ରସ୍ତାବିତ ପାଉଁଶ ପୋଖରୀ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷିରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ଜନଶୁଣାଣିକୁ ବାତିଲ କରି
ଜନଶୁଣାଣି ବାତିଲ ପାଇଁ ସରପଞ୍ଚଙ୍କ ଦାବି


ଝାରସୁଗଡ଼ା, ୭ ଏପ୍ରିଲ୍ (ହି.ସ.)- ଲୋଇସିଂହ ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗ୍ରାମରେ ଏନ୍ଟିପିସି ଦର୍ଲିପାଲି ପକ୍ଷରୁ ପ୍ରସ୍ତାବିତ ପାଉଁଶ ପୋଖରୀ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷିରେ ଆସନ୍ତା ୮ ତାରିଖରେ ହେବାକୁ ଥିବା ଜନଶୁଣାଣିକୁ ବାତିଲ କରିବା ପାଇଁ ଲୋଇସିଂହ ସରପଞ୍ଚ ସନାତନ ରୋହିଦାସ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଦାବି କରିଛନ୍ତି।

ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସନ୍ଦର୍ଭରେ ପ୍ରସ୍ତୁତ ସାମାଜିକ ପ୍ରଭାବ ଆକଳନ (SIA) ରିପୋର୍ଟ ସମ୍ପର୍କରେ ଗ୍ରାମବାସୀଙ୍କୁ ପ୍ରାପ୍ତ ଭାବେ ଅବଗତ କରାଯାଇନାହିଁ। ଶୁଣାଣିର ମାତ୍ର ତିନି ଦିନ ପୂର୍ବରୁ, ଅର୍ଥାତ ଏପ୍ରିଲ ୫ ତାରିଖରେ ତରବରିଆ ଭାବେ ନୋଟିସ ଜାରି ହୋଇଥିବାରୁ, ଏତେ କମ ସମୟରେ ରିପୋର୍ଟ ଅଧ୍ୟୟନ କରି ମତ ଦେବା ଗ୍ରାମବାସୀଙ୍କ ପାଇଁ ସମ୍ଭବ ନୁହେଁ ବୋଲି ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ଏହାସହ ଗ୍ରାମର ପ୍ରାୟ ୮୭.୫ ପ୍ରତିଶତ ଲୋକ ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ହୋଇଥିବା ସହ ସାକ୍ଷରତା ହାର କମ ଥିବାରୁ, ପ୍ରକଳ୍ପର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅଧିକ ସମୟ ଆବଶ୍ୟକ ଥିବାକୁ ସରପଞ୍ଚ ଉଲ୍ଲେଖ କରିଛନ୍ତି। ତେଣୁ ଗ୍ରାମବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଆସନ୍ତା ୮ ତାରିଖର ଜନଶୁଣାଣିକୁ ତୁରନ୍ତ ବାତିଲ କରି ପୁନଃ ତାରିଖ ଘୋଷଣା ପାଇଁ ସେ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande