ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ; ଶିଶୁ ଶ୍ରମିକ ମୁକ୍ତ ଓ ସୁରକ୍ଷିତ ଜିଲ୍ଲା ଗଠନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ
ଝାରସୁଗୁଡ଼ା, ୭ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଡିଏମଏଫ ଅଡିଟୋରିୟମ ହଲ୍ ରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଏବଂ ଏ ଡେ ଫର ଚିଲ୍ଡ୍ରେନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଜିଲ୍ଲାରେ ଶିଶୁ ଏବଂ ମହିଳାମାନଙ
ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ; ଶିଶୁ ଶ୍ରମିକ ମୁକ୍ତ ଓ ସୁରକ୍ଷିତ ଜିଲ୍ଲା ଗଠନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ


ଝାରସୁଗୁଡ଼ା, ୭ ଏପ୍ରିଲ୍ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଡିଏମଏଫ ଅଡିଟୋରିୟମ ହଲ୍ ରେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଏବଂ ଏ ଡେ ଫର ଚିଲ୍ଡ୍ରେନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଜିଲ୍ଲାରେ ଶିଶୁ ଏବଂ ମହିଳାମାନଙ୍କ ସୁରକ୍ଷା ତଥା କଲ୍ୟାଣମୂଳକ ଯୋଜନାର ସମୀକ୍ଷା କରିଥିଲେ। ଏହି ଅବସରରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଜିଲ୍ଲା ମହିଳା ସଶକ୍ତିକରଣ ବିଭାଗ, ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମିଳିତ ସହଯୋଗରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ବିଶେଷ କରି ୧୫ ରୁ ୧୮ ବର୍ଷ ବୟସର କିଶୋରମାନେ ଯେପରି କୌଣସି ମଲ୍, ଦୋକାନ କିମ୍ବା ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ନହୁଅନ୍ତି, ସେଥିପ୍ରତି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ଲକ, ପଞ୍ଚାୟତ ଏବଂ ଗ୍ରାମ୍ୟ ସ୍ତରୀୟ ନିୟମିତ ଭାବରେ ସମୀକ୍ଷା କରି ଜିଲ୍ଲାପାଳଙ୍କୁ ତଥ୍ୟ ପ୍ରଦାନ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲାରେ ଚାଲୁଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା: 'ଅଦ୍ଵିକା', 'ମୈତ୍ରୀ' ଏବଂ 'ଆଶ୍ୱାସନା' କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଝାରସୁଗୁଡ଼ା ଜିଲ୍ଲାକୁ 'ଶିଶୁ ଭିକ୍ଷାବୃତ୍ତି ମୁକ୍ତ ଜୋନ୍' ଭାବେ ଗଢ଼ି ତୋଳିବା ପାଇଁ ପ୍ରଶାସନିକ ସ୍ତରରେ ଦୃଢ଼ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି। ଏଥିସହ ଶିଶୁ ହେଲ୍ପଲାଇନ, ମହିଳା ହେଲ୍ପଲାଇନ, ଘରୋଇ ହିଂସା ରୋକିବା, ମାନବ ଚାଲାଣ ନିରୋଧ ଏବଂ ଶିଶୁ ମଙ୍ଗଳ କମିଟିରେ ପଡ଼ି ରହିଥିବା ମାମଲାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ଜୁଭେନାଇଲ ଜଷ୍ଟିସ ବୋର୍ଡ, ସ୍ପେଶାଲ ଜୁଭେନାଇଲ ପୋଲିସ ୟୁନିଟ୍ ଏବଂ ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାର ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମଟିକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସୂଚାରୁ ରୂପେ ପରିଚାଳନା କରିଥିଲେ। ବୈଠକରେ ଜିଲ୍ଲାର ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ କ୍ଷେତ୍ରର କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ରଖିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande