
ଇମ୍ଫାଲ, ୭ ଅପ୍ରେଲ (ହି.ସ.)- ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଏକ ରକେଟ୍ ଆକ୍ରମଣରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପରେ ଉତେଜନା ଏବଂ ଆକ୍ରୋଶ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବର୍ତମାନ ସୁଦ୍ଧା ଆକ୍ରମଣ ପଛରେ କାହାର ହାତ ରହିଛି ଏନେଇ ଅଫିସିଆଲି କିଛି କୁହାଯାଇନାହିଁ । ମାମଲାର ତଦନ୍ତ ଜାରି ରହିଛି ।
ପ୍ରାଥମିକ ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୨ଟା ସମୟରେ ମୋଇରାଙ୍ଗ ପୋଲିସ ଷ୍ଟେସନ ଅଧୀନରେ ଥିବା ଟ୍ରୋଙ୍ଗଲାଓବି ଆୱାଙ୍ଗ ଲେଇକାଇରେ ଆକ୍ରମଣ ଘଟିଥିଲା, ଯେଉଁଠାରେ ଏକ ସନ୍ଦିଗ୍ଧ ରକେଟ୍ ଏକ ଘର ଉପରେ ପଡ଼ିଥିଲା । ବିସ୍ଫୋରଣରେ ଜଣେ ପାଂଚ ବର୍ଷର ପୁଅ ଏବଂ ଜଣେ ପାଂଚ ମାସର ଝିଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା, ସେମାନଙ୍କ ମାଆ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ରାଜ ମେଡିସିଟି ହସ୍ପିଟାଲରେ ଭର୍ତି କରାଯାଇଛି । ହସ୍ପିଟାଲ ସୂତ୍ର ଅନୁସାରେ, ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି ।
ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବ୍ୟାପକ ଆକ୍ରୋଶ ଦେଖିବାକୁ ମିଳିଥିଲା । ମୋଇରାଙ୍ଗରେ ଲୋକମାନେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ ଏବଂ ଚୁରାଚାନ୍ଦପୁର ଅଭିମୁଖେ ଯାଉଥିବା ଦୁଇଟି ତେଲ ଟ୍ୟାଙ୍କର ଏବଂ ଏକ ମାଲବାହୀ ଟ୍ରକରେ ନିଆଁ ଲଗାଇ ଦେଇଥିଲେ, ଯାହା ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଥିଲା । ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭକାରୀମାନେ ମୋଇରାଙ୍ଗ ଥାନା ଘେରାଉ କରିଥିଲେ । ପ୍ରତିବାଦକାରୀମାନେ ଥାନା ସମ୍ମୁଖରେ ଟାୟାର ଜାଳି ବିରୋଧ ପ୍ରଦର୍ଶନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ