

ଭୁବନେଶ୍ୱର, ୭ ଅପ୍ରେଲ (ହି.ସ.)- କାଳବୈଶାଖୀ ନେଇ ଆଗାମୀ ୪ ଦିନ ପାଇଁ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଏହାର ପରବର୍ତୀ ୩ ଦିନ ପାଇଁ କୌଣସି ଚେତାବନୀ ନାହିଁ ।
କୁଆପଥରଝଡ଼, ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୬ ଜିଲ୍ଲା (ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଭଦ୍ରକ, ବାଲେଶ୍ୱର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା, ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୭ ଜିଲ୍ଲା(ଯାଜପୁର, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଅନ୍ୟ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଚେତାବନୀ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି., ଅନ୍ୟ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏବଂ ଆଉ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ରହିପାରେ ।
୮ ତାରିଖ ସକାଳ ଠାରୁ ୯ ତାରିଖ ସକାଳ ସୁଦ୍ଧା କୁଆପଥରଝଡ଼, ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୩ ଜିଲ୍ଲା(ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ଅନ୍ୟ ୨୭ ଜିଲ୍ଲାକୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଅନୁରୂପ ଭାବେ ଝଡ଼, ବଜ୍ରପାତ ଏବଂ ପବନର ସମ୍ଭାବନା ନେଇ ୯ ତାରିଖ ସକାଳ ଠାରୁ ୧୦ ତାରିଖ ସକାଳ ସୁଦ୍ଧା ୧୫ ଜିଲ୍ଲା, ୧୦ ତାରିଖ ସକାଳ ଠାରୁ ୧୧ ତାରିଖ ସକାଳ ସୁଦ୍ଧା ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହାର ପରବର୍ତୀ ୩ ଦିନ ଅର୍ଥାତ୍ ୧୧ ତାରିଖ ସକାଳ ଠାରୁ ୧୪ ତାରିଖ ସକାଳ ସୁଦ୍ଧା କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ