


ବଲାଙ୍ଗିର, 07 ଏପ୍ରିଲ୍ (ହି.ସ.): ଆନ୍ତଃ ଜିଲ୍ଲା ମୁଖ୍ୟମନ୍ତ୍ରୀ କପ୍ ପ୍ରତିଯୋଗିତାର ଆୟୋଜନ ନିମନ୍ତେ ଆଜି ଏକ ପୂର୍ବ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରଶାସନିକ ସମନ୍ୱୟ, କ୍ରୀଡା ପ୍ରତିଯୋଗିତାର ସୁଚାରୁ ପରିଚାଳନା, ଜିଲ୍ଲାସ୍ତରରେ ଯୁବ ଖେଳାଳିଙ୍କୁ ଅଧିକ ସୁଯୋଗ ଦେବା ଏବଂ ଗ୍ରାମୀଣ ଓ ସହର ସ୍ତରରୁ ନୂତନ ଯୁବ ଖେଳାଳିଙ୍କ ପ୍ରତିଭା ଚିହ୍ନଟ କରିବା । ଏହି ପ୍ରତିଯୋଗିତାରେ ଫୁଟବଲ, ଭଲିବଲ, ଖୋକ ଓ କବାଡି ମ୍ୟାଚ ଅନୁଷ୍ଠିତ ହେବ । ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା ପାଇଁ ଜିଲ୍ଲାସ୍ତରର କ୍ରୀଡା ସଂଗଠନ ଓ ବିଭାଗମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଅଛି । ସୁରକ୍ଷା, ପରିବହନ ଓ ଆବାସ ବ୍ୟବସ୍ଥାରେ ସୁ-ଯୋଜନା କରାଯିବା ଏବଂ ଯୁବମାନଙ୍କ ସହଭାଗିତା ବୃଦ୍ଧି ପାଇଁ ପ୍ରଚାର-ପ୍ରସାର ଉପରେ ଜୋର ଦିଆଯିବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଏହା କେବଳ କ୍ରୀଡା ପ୍ରତିଯୋଗିତା ନୁହେଁ, ବରଂ ଯୁବମାନଙ୍କୁ ଏକତ୍ର କରିବା, ତାଙ୍କର କ୍ଷମତାକୁ ପ୍ରଦର୍ଶନ କରିବା, ଏବଂ ସ୍ଥାନୀୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ନୂତନ ପ୍ରତିଭାକୁ ଖୋଜିବାର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଜିଲ୍ଲାସ୍ତରରେ ମ୍ୟାଚ୍ଗୁଡ଼ିକ ଆସନ୍ତା ୧୦ ଏପ୍ରିଲ ରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜିର ବୈଠକରେ କ୍ରୀଡା , ଶିକ୍ଷା , ପୋଲିସ୍ ଓ ପରିବହନ ବିଭାଗକୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଗଲା । ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ପାଇଁ ପୋଲିସ୍ ଓ ସ୍ଥାନୀୟ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଗଲା । ଦୂରଦୂରାନ୍ତରୁ ଆସୁଥିବା ଖେଳାଳିଙ୍କ ପାଇଁ ବସ୍ ବ୍ୟବସ୍ଥା, ଆବାସ ଓ ଖାଦ୍ୟ ସୁବିଧା ନିଶ୍ଚିତ କରାଗଲା । ଯୁବମାନଙ୍କୁ ଅଧିକ ସହଭାଗୀ କରିବା ଲାଗି ସ୍କୁଲ୍, କଲେଜ୍ ଓ ସ୍ଥାନୀୟ କ୍ଲବ୍ମାନଙ୍କୁ ସୂଚନା ପ୍ରେରଣ କରିବା ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରୁ ଚୟନିତ ଦଳମାନେ ପରେ ରାଜ୍ୟସ୍ତରରେ ପ୍ରତିନିଧିତ୍ୱ କରି ମୁଖ୍ୟମନ୍ତ୍ରୀ କପ୍ ପ୍ରତିଯୋଗିତାରେ ଖେଳିବେ । ଆଜିର ଏହି ବୈଠକରେ ଜିଲ୍ଲା କ୍ରିଡା ଅଧିକାରୀ ହରି ଓମ ଶମ୍ଭୁ ନାରାୟଣ ଦାସ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ, ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ହରି ନାରାୟଣ ପୂଜାରୀ, ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ, ଖୋକ ଓ କବାଡିର ସମ୍ପାଦକ ବିଭୁତି ପଣ୍ଡା, କ୍ରୀଡ଼ା ଛାତ୍ରାବାସ ଅଧିକ୍ଷକ ପରାସର ବାଗ ପ୍ରମୁଖ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ