
ବଲାଙ୍ଗିର, ୭ ଏପ୍ରିଲ୍ (ହି.ସ.)- ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡ଼ିଆ ପକ୍ଷ-୨୦୨୬ ପାଳନ ଉପଲକ୍ଷେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି । ଏହି ଅବସରରେ ସ୍ୱଚ୍ଛ ପରିମଳ, ସୁସ୍ଥ ପରିବେଶ ସ୍ଲୋଗାନକୁ ପାଥେୟ କରି ବ୍ଲକ ଓ ପୌରପରିଷଦ ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ସମୂହ ସଫେଇ କରାଯାଇଥିଲା । ତେବେ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ପକ୍ଷରୁ ବିଡିଓଙ୍କ ନେତୃତ୍ଵରେ ରାଣୀପୁର ଝରିଆଲ ପଞ୍ଚାୟତର ପ୍ରସିଦ୍ଧ ସମେଶ୍ୱର୍ ମନ୍ଦିର ପ୍ରାଙ୍ଗଣରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ବ୍ଲକର ସମସ୍ତ କର୍ମଚାରୀ ମନ୍ଦିରର ବିରାଟ ପରିସରକୁ ସଫା କରି ସ୍ଵଚ୍ଛତାର ବାର୍ତ୍ତା ଦେଇଥିଲେ । ଉକ୍ତ ଶ୍ରମଦାନ କାର୍ଯ୍ୟକ୍ରମରେ ସରପଞ୍ଚ, ଉପାଧ୍ୟକ୍ଷା, ବ୍ଲକ କର୍ମଚାରୀ, ସିଆରପି ମାନେ ସାମିଲ ହୋଇଥିଲେ । ଖପ୍ରାଖୋଲ ପଞ୍ଚାୟତ ସମିତି ପକ୍ଷରୁ ମଧ୍ୟ ଐତିହ୍ୟ ପୀଠ ହରିଶଙ୍କର ମନ୍ଦିର ପରିସରକୁ ସଫେଇ କରାଯାଇଥିଲା । ବିଡିଓଙ୍କ ନେତୃତ୍ଵରେ ଆୟୋଜିତ ଏହି ସାମୁହିକ ସଫେଇ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କର୍ମଚାରୀ ଓ ଜନସାଧାରଣ ଅଂଶଗ୍ରହଣ କରିଥିଲେ ।
ସେହିପରି ବଲାଙ୍ଗିର ପୌରପରିଷଦ ପକ୍ଷରୁ ସ୍ଥାନୀୟ ମା' ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ସହ ନିର୍ବାଚିତ ଜନପ୍ରତିନିଧି, ସ୍ଵଚ୍ଛ ସାଥୀ, ସୁପରଭାଇଜର ଏବଂ କାର୍ଯ୍ୟାଳୟର କର୍ମଚାରୀ ଯୋଗଦେଇଥିଲେ । ଏଥିସହିତ ସହରର ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ସଫେଇ କର୍ମୀମାନେ ସ୍ଵେଚ୍ଛାକୃତ ଭାବେ ଶ୍ରମଦାନ କରି ପରିବେଶକୁ ସଫା ରଖିବା ପାଇଁ ସଂକଳ୍ପ ନେଇଥିଲେ ।
ଏହି ସ୍ୱଚ୍ଛତା ଅଭିଯାନ ଓଡ଼ିଆ ପକ୍ଷ-୨୦୨୬ ର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଓଡ଼ିଆ ପକ୍ଷ-୨୦୨୬ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ୧୪ ଦିନ ବ୍ୟାପୀ ଏକ ଭବ୍ୟ ସାଂସ୍କୃତିକ ଉତ୍ସବ ଭାବେ ପାଳନ କରାଯାଉଛି । ଏହି ଅଭିଯାନ ଓଡ଼ିଆ ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟର ସଂରକ୍ଷଣ ପାଇଁ ଏକ ପଦକ୍ଷେପ । ଉକ୍ତ ସ୍ୱଚ୍ଛତା ଅଭିଯାନ ପରିବେଶ ସଂରକ୍ଷଣ ଏବଂ ସ୍ୱଚ୍ଛତା ରକ୍ଷା କରିବା ପାଇଁ ଏକ ପ୍ରେରଣାଦାୟକ ପଦକ୍ଷେପ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ