
କେନ୍ଦୁଝର, ୦୭ ଏପ୍ରିଲ୍ (ହି.ସ.) - କେନ୍ଦୁଝର ସହର ଅନ୍ତର୍ଗତ ମାଧପୁର କାଳୀମନ୍ଦିର କମିଟି ତରଫରୁ ମା' ଶ୍ୟାମା କାଳୀଙ୍କ ଦେବୀ ଗୃହକୁ ଏକ ନୂତନ ମନ୍ଦିର ଭାବେ ନିର୍ମାଣ କରିବା ପାଇଁ ଏକ ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ମାଧପୁର ଓ ମାଗୁରଗଡିଆ ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠାନର ସ୍ଥାୟୀ ସଭାପତି ଶିବ କୁମାର ରାଠୋରଙ୍କ ସଭାପତିତ୍ୱରେ ଏହି ସଭା ଆୟୋଜିତ ହୋଇଥିଲା। ସଭାରେ ମା'ଶ୍ୟାମା କାଳୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ସମସ୍ତ ଗ୍ରାମବାସୀଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହା ସହ ଅଧୂକ ଲୋକଙ୍କୁ ଏହି ପବିତ୍ର କାର୍ଯ୍ୟରେ ସାମିଲ କରିବାକୁ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଥିଲା। ଏହି ସଭାରେ ସ୍ଥାନୀୟ ବରିଷ୍ଠ ଗ୍ରାମବାସୀ ଅମରବର ଖଟୁଆ, ସନାତନ ବେହେରା, ମହେନ୍ଦ୍ର କୁମାର ସାହୁ ଓ ବିଜୟଲକ୍ଷ୍ମୀ ଓଝା ଉପସ୍ଥିତ ଥାଇ ମନ୍ଦିର ନିର୍ମାଣ କାର୍ଯ୍ୟରେ ସମସ୍ତଙ୍କୁ ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଯୋଜନାବଦ୍ଧ ଭାବେ କାର୍ଯ୍ୟ କଲେ ମନ୍ଦିର ନିର୍ମାଣ ଶୀଘ୍ର ସମ୍ପନ୍ନ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା ପାଇଁ ସଂଯୋଜକ ପ୍ରଫୁଲ୍ଲ କୁମାର ସାହୁ, ନିର୍ମାଣ କମିଟି ଉନ୍ନୟନ ସମ୍ପାଦକ ପ୍ରିୟବ୍ରତ ଜେନା, କୋଷାଧ୍ୟକ୍ଷ ବିନୋଦ ବିହାରୀ ଲାଲ, ସମ୍ପାଦକ ବିଜନ କୁମାର ନାୟକ, ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ପଲେଇ, ବରିଷ୍ଠ ସଦସ୍ୟ ଗଣେଶ୍ୱର ବେହେରା, ଗୌରାଙ୍ଗ ରାମ, ସଞ୍ଜୟ କୁମାର ଓଝା, ମାନସ କୁମାର ବ୍ରହ୍ମ ସହିତ ଅନ୍ୟାନ୍ୟ କର୍ମକର୍ତାମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ନିର୍ମାଣ କମିଟି ଉନ୍ନୟନ ସମ୍ପାଦକ ପ୍ରିୟବ୍ରତ ଜେନା ପ୍ରକାଶ କରିଛନ୍ତି କି ମା'ଙ୍କର ଏକ ଭବ୍ୟ ମନ୍ଦିର ହେଉ ଏହା ଭକ୍ତିଙ୍କ ବହୁଦିନର ଆଶା ଆଉ ସମସ୍ତଙ୍କର ସହଯୋଗ ରହିଲେ ଏହି ଆଶା ଖୁବ ଶୀଘ୍ର ବାସ୍ତବରେ ରୂପାୟନ ହୋଇପାରିବ। ପରିଶେଷରେ ନିର୍ମାଣ କମିଟି କୋଷାଧ୍ୟକ୍ଷ ଭଗବାନ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA