
ପୁରୀ, ୭ ଏପ୍ରିଲ୍ (ହି.ସ.)- ଆଗାମୀ ୧୦ ତାରିଖରେ ପିପିଲିରେ ପାଳିତ ହେବ ଲୋକ କଳା ପାଇଁ ଦିନ ଟିଏ। ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଲୋକ କଳା ପାଇଁ ଦିନଟିଏ ର ବ୍ୟବସ୍ଥା କରିଛନ୍ତି। ଏହା ପିପିଲି ପଦା ପଡିଆ ଠାରେ ଚଳିତ ମାସ ୧୦ ତାରିଖ ଅପରାହ୍ନରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୂଚାରୁ ରୂପେ ନିର୍ବାହ ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ପିପିଲି ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଲୋକ କଳାର କଳାକାର ମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ପିପିଲିରେ ରାଜ୍ୟ ସ୍ତରୀୟ ଉତ୍ସବ କରିବାକୁ ନିଷ୍ପତ୍ତି ନେଇ ଥିବାରୁ ସରକାରଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ସମସ୍ତଙ୍କ ସହଯୋଗରେ ଏହାକୁ ସୁନ୍ଦର ଭାବେ କରିବାକୁ ସେ ପରାମର୍ଶ ଦେବା ସହ କ୍ଷେତ୍ର ପରିଦର୍ଶନ କରି ବିବିଧ ପରାମର୍ଶ ମାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଯେଉଁ ବିଭାଗକୁ ଯେଉଁ ଦାୟିତ୍ୱ ଦିଆ ଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ଓ ନିଷ୍ଠାର ସହ ସମ୍ପର୍ଣ୍ଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାସ୍ତା ଘାଟ ମରାମତି, ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂ ସ୍ଥଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା, ସ୍ବଛତା ବ୍ୟବସ୍ଥା, ଅଗ୍ନିଶମ ବିଭାଗ ଅଗ୍ନି ନିର୍ବାପକ ବ୍ୟବସ୍ଥା ସହ ଆଲୋକୀକରଣ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହ ଝୁଲି ରହିଥିବା ବିଦ୍ୟୁତ ତାର, କେବୁଲ ତାର ଅପସାରଣ ବା ଉଚ୍ଚରେ ରଖିବା, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ସ୍ବାସ୍ଥ୍ୟ ରକ୍ଷା ବ୍ୟବସ୍ଥା, ସହର ଓ ସବୁ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା, କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର କରାଇବା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ପ୍ରାରମ୍ଭରେ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ସ୍ମିତା ମହାନ୍ତି ସମସ୍ତଙ୍କୁ ସ୍ବାଗତ କରିବା ସହ ଲୋକ କଳା ପାଇଁ ଦିନ ଟିଏ ର କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବିଭାଗର ଉପ ନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ସୂଚନା ଦେଇ ଅପ୍ରେଲ ୧୦ ତାରିଖରେ ପିପିଲି ଜବାହର ବିଦ୍ୟାପୀଠ ଠାରୁ ପଦା ପଡିଆ ପର୍ଯ୍ୟନ୍ତ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ କରାଯାଇଛି ବୋଲି ସୂଚନା ଦେଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୦୦ କଳାକାର ପାରମ୍ପରିକ ବେଶ ପୋଷାକରେ ଏହି ଶୋଭାଯାତ୍ରାରେ ସାମିଲ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଦିବସ ପାଳନ ଅବସରରେ ଓଡ଼ିଶାର ସମସ୍ତ ଜିଲ୍ଲାର ପ୍ରତ୍ୟେକ ଲୋକକଳାକୁ ସମ୍ମିଳିତ କରି ଏକ ବିରାଟ ସାଂସ୍କୃତିକ ପଦଯାତ୍ରା ମାଧ୍ୟମରେ ଜବାହାର ବିଦ୍ୟାଳୟ ସ୍ପୋର୍ଟସ ପଡିଆରୁ ଅପରାହ୍ନ ୪ଟାରୁ ଆରମ୍ଭ କରାଯାଇ ପଦା ପଡିଆରେ ଶେଷ ହେବ ଏବଂ ପଦା ପଡିଆରେ ସଂନ୍ଧ୍ୟା ୬ଟା ୩୦ ମିନିଟରେ ଏକାଠି ହୋଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀମତୀ ମନ୍ତ୍ରୀ ସୂଚନା ଦେଇଥିଲେ।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଡ଼ିଓ ସରୋଜ କୁମାର ରାଉତ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରେ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ସହ ସମସ୍ତ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ