ବଡଦାଣ୍ଡରେ ମିଳୁନି ପର୍ଯ୍ୟଟକଙ୍କୁ ଜଳଖିଆ : ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଭକ୍ତ ହନ୍ତସନ୍ତ
ପୁରୀ, ୭ ଏପ୍ରିଲ୍ (ହି.ସ.)- ଶ୍ରୀମନ୍ଦିରକୁ ପ୍ରତିଦିନ ପଚାଶ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି । ମନ୍ଦିରରୁ ଦର୍ଶନ କରି ଫେରିବା ପରେ ସିଂହଦ୍ଵାର ନିକଟରେ ଚା ଓ ଜଳଖିଆ ନମିଳିବାରୁ ଭୋକ ପେଟରେ ପର୍ଯ୍ୟଟକ ଚାଲି ଚାଲି ବଡଦାଣ୍ଡ ସାରା ଖୋଜି ହତାଶ ହେଉଛନ୍ତି । ବଡଦାଣ୍ଡରେ ଉଠାଦୋକାନୀ
ବଡଦାଣ୍ଡରେ ମିଳୁନି ପର୍ଯ୍ୟଟକଙ୍କୁ ଜଳଖିଆ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ଭକ୍ତ ହନ୍ତସନ୍ତ


ପୁରୀ, ୭ ଏପ୍ରିଲ୍ (ହି.ସ.)- ଶ୍ରୀମନ୍ଦିରକୁ ପ୍ରତିଦିନ ପଚାଶ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି । ମନ୍ଦିରରୁ ଦର୍ଶନ କରି ଫେରିବା ପରେ ସିଂହଦ୍ଵାର ନିକଟରେ ଚା ଓ ଜଳଖିଆ ନମିଳିବାରୁ ଭୋକ ପେଟରେ ପର୍ଯ୍ୟଟକ ଚାଲି ଚାଲି ବଡଦାଣ୍ଡ ସାରା ଖୋଜି ହତାଶ ହେଉଛନ୍ତି । ବଡଦାଣ୍ଡରେ ଉଠାଦୋକାନୀ ଉଠିଯିବା ପରେ ପର୍ଯ୍ୟଟକ, ତୀର୍ଥଯାତ୍ରୀ ମାନେ ଚା ଓ ଜଳଖିଆ ପାଉନାହାନ୍ତି । ରନ୍ଧନ ଗ୍ଯାସ ର ଦର ବଢିବା ଓ ନମିଳିବା ଯୋଗୁ ୨୦ ଟଙ୍କାର ଜଳଖିଆ ୫୦ ଟଙ୍କା ଦେବାକୁ ପଡୁଛି । କୃଷ୍ଣ ସିନେମା ହଲ ଛକ, ମରଚିକୋଟ ଛକ, ମାର୍କେଟ ଛକ, ମାଉସୀମା ଛକ, ବଳଗଣ୍ଡି ଛକ, ମେଡିକାଲ ଛକ ସମେତ ବିଭିନ୍ନ ସାହି ଗଳିକନ୍ଦିରେ ଜଳଖିଆ ମିଳିବା କଷ୍ଟସାଧ୍ୟ ହୋଇପଡିଛି । ସ୍ଥାନୀୟ ବାସିନ୍ଦା ମଧ୍ୟ ୨୦ ଟଙ୍କାର ଜଳଖିଆ ପାଇଁ ବାଇକରେ ୫୦ ଟଙ୍କାର ପେଟ୍ରୋଲ ଖର୍ଚ୍ଚ କରୁଛନ୍ତି । ପୂର୍ବରୁ ଥିବା ଭଲ ଜଳଖିଆ ଦୋକାନୀ ତାଙ୍କ ସ୍ଥାନ ଛାଡି ଅନ୍ଯ ଗଳି କନ୍ଦିରେ ପସରା ଖୋଲି ଥିବାରୁ ସହରବାସୀ ମଧ୍ୟ ଖୋଜି ପାଇବା କଷ୍ଟ ସାଧ୍ୟ ହେଉଛି । ପୂର୍ବରୁ ବଡବରା ୫ ଟଙ୍କିଆ ଏବେ ୮ ଟଙ୍କାରେ ମିଳୁଥିବା ବେଳେ ଏବେ ତା'ର ସାଇଜ ଛୋଟ ହୋଇଯାଇଛି । ପୂର୍ବ ମଟର ତରକାରୀ ବହଳିଆ ଥିବାବେଳେ ଏବେ ତାହା ପତଳା ଓ ପାଣିଆ ମିଳୁଛି । ଉପମା କଥା ନକହିବା ଭଲ । ଏବେ ୫ ଟଙ୍କିଆ ହାପକପ ଚା ୧୦ ଟଙ୍କା ଓ ୧୦ ଟଙ୍କିଆ ଫୁଲ କପ ଚା ୨୦ ଟଙ୍କାରେ ବିକ୍ରି ହେଉଛି । ପର୍ଯ୍ୟଟକ ରହୁଥିବା ହୋଟେଲରେ ମଧ୍ୟ ଖାଇବା ମିଳୁନାହିଁ । ପର୍ଯ୍ୟଟକ ମାନେ ମିଲ୍ସ ଖାଇବା ପାଇଁ ଏଣେତେଣେ ବୁଲୁଛନ୍ତି । କଚେରି ଛକରେ ବରଗଛ ମୂଳେ ବସୁଥିବା ଚୁଡାଭଜା ବୁଢି ମାଉସୀ ଚୁଡାଭଜା ଠୁଙ୍ଗା ପ୍ରତି ୧୦ ଟଙ୍କା ଥିବାବେଳେ ଏବେ ତାହା ୧୫ ଟଙ୍କାରେ ବିକ୍ରି ହେଉଛି । କିନ୍ତୁ ଠୁଙ୍ଗାର ଆକାର ଛୋଟ ସାଇଜ ହୋଇଯାଇଛି । କଚେରିରେ ଓକିଲ ମହକିଲ ମୋହରିର ଓ ସାଧାରଣ ବ୍ଯକ୍ତି ମାନେ ଚୁଡାଭଜା ଦର ଦେଖି ମାଉସୀ ସହ କଥା କଟାକଟି ହେଉଥିବା ଦେଖିବାକୁ ମିଳୁଛି । ସିଙ୍ଗଡା, ଆଳୁଚପ, ଗୁଲୁଗୁଲା, ବାଇଗଣି ଚପ ଏବେ ଆକାରରେ ଛୋଟ ହୋଇଗଲାଣି କିନ୍ତୁ ଦର ବଢିଯାଇଛି । ଷାଠିଏ ପଉଟି ଭୋଗ ଗ୍ରହଣ କରୁଥିବା ଶ୍ରୀଜଗନ୍ନାଥଙ୍କ ଧାମରେ ତୀର୍ଥଯାତ୍ରୀ ମାନେ କମ୍ ଖାଇ ଅଧା ପେଟରେ ବୁଲିବା ବୁଦ୍ଧିଜୀବୀ ମାନଙ୍କୁ ବ୍ୟଥିତ କରିଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande