
Odisha, 08 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା ,ଗତକାଲି ରାତିରେ ଏକ ଅଭାବନୀୟ ଘଟଣା କ୍ରମରେ ଜଣେ ୪ ମାସର ଶିଶୁପୁତ୍ର ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାଟି ନିରାକାରପୁର ରେଳବାଇ ଫାଣ୍ଡି ଅନ୍ତର୍ଗତ ରେଳବାଇ ଷ୍ଟେସନ ୩ ନଂ ପ୍ଲାଟଫର୍ମରେ ଘଟିଛି।ସୂଚନା ମୁତାବକ, ନୟାଗଡ ଜିଲ୍ଲା ରଣପୁର ଥାନା କଳାମାଟିଆ ଗ୍ରାମ ପ୍ରଶାନ୍ତ କୁମାର ପ୍ରଧାନ ଓ ତାଙ୍କ ପତ୍ନୀ ନିଜର ୪ ମାସର ଶିଶୁପୁତ୍ର ସହ ଗତ ୩ତାରିଖ ରାତିରେ ବ୍ରହ୍ମପୁର - ଭୁବନେଶ୍ୱର ଡିଏମୟୁ ଆସି ପ୍ଲାଟଫର୍ମ ୩ ନଂରେ ପୁଅକୁ ଧରି ଶୋଇଥିଲେ। ରାତି ପ୍ରାୟ ୧୨:୩୦ ସମୟରେ ଶିଶୁଟି ପାଖରେ ନଥିବା ଦେଖି ବାପା ମାଆ ଚିନ୍ତାରେ ପଡ଼ିଯାଇଥିଲେ ଏବଂ ଚାରିଆଡ଼େ ଖୋଜାଖୋଜି କରିଥିଲେ।ଏନେଇ ସମ୍ପର୍କରେ ସେମାନେ ସ୍ଥାନୀୟ ନିରାକାରପୁର ରେଳବାଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ନିଜର କୋମଳମତି ଶିଶୁକୁ ଫେରି ପାଇବା ପାଇଁ ପୁଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି । ବାପା ମାଆ ଏବେ ଆକୁଳ ନିବେଦନ କରିବା ସହ ପ୍ରଶାସନର ସାହାଯ୍ୟ ଭିକ୍ଷା କରିଛନ୍ତି। କୁନି ପୁଅକୁ କେହି ଚୋରି କରି ନେଇଛି ନା ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି, ତାହା ପୁଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ବର୍ତ୍ତମାନ ସୁଦ୍ଧା ଶିଶୁଟିର କୌଣସି ସନ୍ଧାନ ମିଳିପାରି ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ