
କେନ୍ଦ୍ରାପଡ଼ା, ୦୮ ଏପ୍ରିଲ୍(ହି.ସ.) – ରାଜ୍ୟର ଅନ୍ୟତମ ପୁରୁଣା ହାଇସ୍କୁଲ୍ ଭାବେ ପରିଚିତ କେନ୍ଦ୍ରାପଡ଼ା ପିଏମ୍ଶ୍ରୀ ହାଇସ୍କୁଲରେ(ଛାତ୍ର/ଛାତ୍ରୀ, ପୋଲିସ୍ କ୍ୟାଡେଟ୍)ମାନଙ୍କୁ ପୋଲିସ୍ର କର୍ତବ୍ୟ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ହାଇସ୍କୁଲର ବରିଷ୍ଠ ଶିକ୍ଷକ ଶିବ ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ାର ଡିଏସ୍ପି ତଥା ଏସ୍ପିସିର ନୋଡାଲ୍ ଅଫିସର୍ ଲକ୍ଷ୍ମୀ ନାରାୟଣ ତିୱାରୀ ମୁଖ୍ୟ ଅତିଥି, ସାଇବର୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ ମୁଖ୍ୟବକ୍ତା, ସାଇବର୍ ଥାନାର ସ୍ୱତନ୍ତ୍ର ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ ସମ୍ମାନୀତ ଅତିଥି, ଏସ୍ପିସିର ସଂଯୋଜକ ଝରଣା ପ୍ରଧାନ ସମ୍ମାନୀତ ଅତିଥି, ଇଚ୍ଛାପୁର ହାଇସ୍କୁଲର ଶିକ୍ଷୟିତ୍ରୀ ବୀଣାପାଣି ଦାଶ, କେନ୍ଦ୍ରାପଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ମଦନ ମୋହନ କର ପ୍ରମୁଖ ଉପସ୍ଥିତ ହୋଇ ବର୍ତମାନ ସମାଜରେ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏହାଠାରୁ ଛାତ୍ରଛାତ୍ରୀମାନେ ସତର୍କ ରହିବା ସହିତ କୌଣସି ଅପରାଧ କରିବା ପୂର୍ବରୁ ଚିନ୍ତା କରିବାର ଆବଶ୍ୟକ ରହିବା ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିସହିତ ମୋବାଇଲ୍ ଦୁରୂପଯୋଗ ନକରିବା, ପୋଲିସ୍ର କର୍ତବ୍ୟ ଓ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ଏକ ସଚେତନତା ରଥ ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଜିଲ୍ଲାର ୪ଟି ହାଇସ୍କୁଲର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଏସ୍ପିସିରେ ୨୨ ଜଣ ପୁଅ ଓ ୨୨ଜଣ ଝିଅକୁ ନେଇ ଏସ୍୍ପିସି ଗଠନ କରାଯାଇଛି। ସଚେତନତା ଶୋଭାଯାତ୍ରା ସମୟରେ ଗାଡ଼ିଚାଳକମାନଙ୍କୁ ହେଲେମେଟ୍ ପିନ୍ଧିବା, ନିୟମ ମାନି ଗାଡ଼ି ଚଳେଇବା, ନିଶାସକ୍ତ ଅବସ୍ଥାରେ ଗାଡ଼ି ନଧରିବା ଆଦି ସମ୍ପର୍କରେ ସ୍ଲୋଗାନ ମାନ ଦେଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ବରିଷ୍ଠ ଶିକ୍ଷକ ପବିତ୍ର ମୋହନ ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମନୋଜ କୁମାର ପରିଜା ବାର୍ଷିକ ବିବରଣୀ ପାଠ କରିଥିଲେ। ସଭା ଶେଷରେ ପ୍ରକାଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି