
ଝାରସୁଗୁଡ଼ା, , 08 ଏପ୍ରିଲ୍ (ହି.ସ.) : ଝାରସୁଗୁଡ଼ା ଜିଲ୍ଲାବାସୀଙ୍କ ପାଇଁ ଏକ ଖୁସିର ଖବର। ଜିଲ୍ଲାର ଲଇକେରା ବ୍ଲକର କୁଆଁରମାଲ ଗ୍ରାମ ନିକଟରେ ଅବସ୍ଥିତ ପ୍ରସିଦ୍ଧ ମାଁ ଅନ୍ଧାରୀ ଦେବୀ ପାହାଡ଼ର ସମଗ୍ର ଉନ୍ନୟନ ପାଇଁ ରାଜ୍ୟ ସରକାର ପକ୍ଷରୁ ୧ କୋଟି ୫୬ ଲକ୍ଷ ୨୮ ହଜାର ଟଙ୍କା ମଞ୍ଜୁର କରାଯାଇଛି। ସାଂସ୍କୃତିକ ବିଭାଗ ତରଫରୁ ଏହି ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ମିଳିଛି।
ଓଡ଼ିଶା ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ, ଏହି ପ୍ରକଳ୍ପ ମାଧ୍ୟମରେ ମାଁ ଅନ୍ଧାରୀ ଦେବୀ ପାହାଡ଼କୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରାଯିବ। ପ୍ରକଳ୍ପରେ ଆକର୍ଷଣୀୟ ପ୍ରବେଶ ଦ୍ୱାର, ଜଳଉତ୍ସ ଓ ପୋଖରୀର ସୌନ୍ଦର୍ଯ୍ୟକରଣ, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ମଣ୍ଡପ ଓ ବିଶ୍ରାମସ୍ଥଳ, ପାନୀୟ ଜଳ ବ୍ୟବସ୍ଥା, ପାହାଡ଼ ଉପରକୁ ଯିବା ପାଇଁ ସୁବ୍ୟବସ୍ଥିତ ପାହାଚ ଓ ରାସ୍ତା ନିର୍ମାଣ କରାଯିବ। ତଦୁପରି, ପାର୍କିଂ ବ୍ୟବସ୍ଥା, ଆଧୁନିକ ଶୌଚାଳୟ, ସୂଚନା ଫଳକ ଓ ଆଲୋକିକରଣ ସୁବିଧା ମଧ୍ୟ ସୃଷ୍ଟି କରାଯିବ। ଏହି ପ୍ରକଳ୍ପର କାର୍ଯ୍ୟନ୍ୱୟନ ଓ ତଦାରଖ ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେଲେ ଜିଲ୍ଲାରେ ପର୍ଯ୍ୟଟନ ଉନ୍ନତି ସହ ସ୍ଥାନୀୟ ଅର୍ଥନୀତି ମଜବୁତ ହେବ ବୋଲି ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ