

ମାଲକାନଗିରି , ୮ ଏପ୍ରିଲ୍ (ହି.ସ.) ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ର ଏକ ଅଂଶସ୍ୱରୂପ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମାଥିଲି ବ୍ଲକର ମହୁପଦର ଗ୍ରାମ ପଞ୍ଚାୟତଠାରେ ଏକ ସ୍ୱତନ୍ତ୍ର ମେଗା ସ୍ୱାସ୍ଥ୍ୟ ଓ ପୋଷଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ହିତାଧିକାରୀ ଯୋଗ ଦେଇଥିଲେ।
ଏହି ଶିବିରରେ ମାଥିଲି ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ, ଫାର୍ମାସିଷ୍ଟ ଏବଂ ନର୍ସିଂ ଅଫିସରମାନେ ସାମିଲ ହୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ। ଏଥିସହିତ ସିଡିପିଓଙ୍କ ନେତୃତ୍ୱରେ ଆଇସିଡିଏସ ସୁପରଭାଇଜର ଓ ଅଙ୍ଗନୱାଡି କର୍ମୀମାନେ ହିତାଧିକାରୀଙ୍କୁ ଉତ୍ତମ ଖାଦ୍ୟପେୟ ଓ ସୁରକ୍ଷିତ ପୋଷଣ ଅଭ୍ୟାସ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ।
ମହୁପଦର, କମାରପାଲି, ସାଲିମି ଏବଂ ତେମୁରୁପାଲି ପରି ଦୁର୍ଗମ ଅଞ୍ଚଳରୁ ଆସିଥିବା ଶତାଧିକ ଗର୍ଭବତୀ ମହିଳା, ପ୍ରସୂତି ମା, ୦-୬ ବର୍ଷର ଶିଶୁ ଏବଂ ସମ୍ଭାବ୍ୟ ଯକ୍ଷ୍ମା ଓ ଅଣ-ସଂକ୍ରାମକ ରୋଗୀଙ୍କର ଏଠାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମସ୍ତଙ୍କୁ ମାଗଣା ଔଷଧ ସହ ପୋଷଣଯୁକ୍ତ ଖାଦ୍ୟ ପ୍ୟାକେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ପରିମଳ ଓ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ସଚେତନତା ସହ ପ୍ରଦର୍ଶନୀ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଥିଲି ବିଡିଓ ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ୱାରା ପରିଚାଳିତ ପୋଷଣ-୧୫ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଶିଶୁମାନଙ୍କ ମଧ୍ୟରେ ଅପୁଷ୍ଟି ଜନିତ ସମସ୍ୟା ଦୂର କରିବା ଏବଂ ଗର୍ଭବତୀ ଓ କିଶୋରୀମାନଙ୍କୁ ସଠିକ୍ ପୋଷଣ ଯୋଗାଇବା ପାଇଁ ବିଭିନ୍ନ ବିଭାଗର ମିଳିତ ସହଯୋଗରେ ଏହି ଅଭିଯାନ ଜାରି ରହିଛି ବୋଲି ସେ କହିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଲୋକଙ୍କୁ ସ୍ୱାସ୍ଥ୍ୟ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ଶେଷରେ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ମାଥିଲି ଏବିଏଫ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ