
ଝାରସୁଗୁଡ଼ା, 08 ଏପ୍ରିଲ୍ (ହି.ସ.): ଜିଲ୍ଲାରେ ବଢୁଥିବା ତାପମାତ୍ରା ଓ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରିବା ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଡି.ଏମ୍.ଏଫ୍ ଅଡିଟୋରିୟମ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।
ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ପଥିକ ଓ ସାଧାରଣ ଜନତାଙ୍କ ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ମୋଟ ୪୯୨ଟି ଜଳଛତ୍ର ଖୋଲାଯିବ। ସେହିପରି ଜଳାଭାବ ଅନୁଭୂତ ହେଉଥିବା ୫୪୯ଟି ସ୍ଥାନରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ୧୯୨ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଓ ୭୭୭୭ଟି ନଳକୂପକୁ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ୱାଟକୋ ଅଧୀନରେ ଥିବା ୫୦୨ଟି ପ୍ରଡକ୍ସନ ୱେଲ୍ ର ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ଜାରି ରହିଛି।
ବିଦ୍ୟୁତ ସେବାକୁ ବ୍ୟାହତ ନକରିବା ପାଇଁ ୧୩,୫୦୦ଟି ଟ୍ରାନ୍ସଫର୍ମର କାର୍ଯ୍ୟ କରୁଥିବା ବେଳେ ପୋଡ଼ି ଯାଇଥିବା ଟ୍ରାନ୍ସଫର୍ମର ବଦଳାଇବା ପାଇଁ ୭୦ଟି ଅତିରିକ୍ତ ଟ୍ରାନ୍ସଫର୍ମର ମହଜୁଦ ରଖାଯାଇଛି। ଶିଳ୍ପ ଓ ଖଣି ଅଞ୍ଚଳରେ ଶ୍ରମିକମାନଙ୍କ ପାଇଁ ୫୦ ରୁ ୧୦୦ ଜଣ କ୍ଷମତା ବିଶିଷ୍ଟ ଏସି କିମ୍ବା କୁଲର ଥିବା ବିଶ୍ରାମ ଗୃହ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସକାଳ ୧୧:୦୦ ରୁ ଅପରାହ୍ନ ୪:୦୦ ପର୍ଯ୍ୟନ୍ତ ଭାରୀ ଯାନ ଲୋଡିଂ ଉପରେ କଟକଣା ଲଗାଯାଇଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଡାକ୍ତରଖାନାରେ ସ୍ୱତନ୍ତ୍ର 'ହୀଟ୍ ଷ୍ଟ୍ରୋକ ରୁମ୍' ପ୍ରସ୍ତୁତ କରାଯାଇଛି ଏବଂ ଅଙ୍ଗନବାଡ଼ି କର୍ମୀ ଓ ବିଦ୍ୟାଳୟଗୁଡ଼ିକୁ ପ୍ରର୍ଯ୍ୟାପ୍ତ ପରିମାଣର ଓ.ଆର.ଏସ ଯୋଗାଇ ଦିଆଯାଇଛି। ଶିକ୍ଷା ବିଭାଗ ପକ୍ଷରୁ ସକାଳୁଆ ସ୍କୁଲ ସମୟ ସକାଳ ୬:୩୦ ରୁ ୧୦:୩୦ ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି। ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଗୃହପାଳିତ ପଶୁଙ୍କ ପାଇଁ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାଣୀ ଚିକିତ୍ସାଳୟ ଖୋଲା ରଖିବା ସହ ପାଣି କୁଣ୍ଡର ବ୍ୟବସ୍ଥା କରାଯାଇଛି। ପରିବହନ କ୍ଷେତ୍ରରେ ମଧ୍ୟ କଟକଣା ଜାରି କରାଯାଇଛି; ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଯାତ୍ରୀବାହୀ ବସ୍ ଚଳାଚଳ ଉପରେ ପରିବହନ ବିଭାଗ କଡ଼ା ନଜର ରଖିବେ ଏବଂ ବସରେ ଯାତ୍ରୀ ସଂଖ୍ୟା ସୀମିତ ରହିବା ସହ ପାଣି ଓ ଓ ଆର୍ ଏସ ରଖିବା ବାଧ୍ୟତାମୂଳକ କରାଯାଇଛି।
ବିଦ୍ୟୁତ୍ ବିଭାଗକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ସହ ଟ୍ରାନ୍ସଫର୍ମର ମରାମତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ଜରୁରୀ ପରିସ୍ଥିତିରେ ଯୋଗାଯୋଗ ପାଇଁ ଜିଲ୍ଲା ଜରୁରୀକାଳୀନ ଅପରେସନ ସେଣ୍ଟର (ନମ୍ବର: ୦୬୬୪୫-୨୭୨୯୦୨) ଏବଂ ଜରୁରୀ ପ୍ରତିକ୍ରିୟା କେନ୍ଦ୍ର (୬୩୭୦୨-୦୮୮୪୨) କାର୍ଯ୍ୟ କରୁଛି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ୪୦୦୦ ପୋଷ୍ଟର ଓ ୧୫୦ ବ୍ୟାନର ବଣ୍ଟନ କରାଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୃତ୍ୟୁଞ୍ଜୟ ସବର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିଆରସିଂହ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ