
ଝାରସୁଗୁଡ଼ା , 08 ଏପ୍ରିଲ୍ (ହି.ସ.) : ଜିଲ୍ଲାରେ ଶିଶୁ ଭିକ୍ଷାବୃତ୍ତି ସମସ୍ୟାର ସମାଧାନ ଏବଂ କୋମଳମତି ଶିଶୁମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋକଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଏକ 'ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ' ଗଠନ କରାଯାଇଛି। ଜିଲ୍ଲାରୁ ଶିଶୁ ଭିକ୍ଷାବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ।
ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ, ଏହି ଟାସ୍କ ଫୋର୍ସରେ ଜିଲ୍ଲାର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କୁ ସାମିଲ କରାଯାଇଛି। ଏଥିରେ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ପୌରପାଳିକାର ନିର୍ବାହୀ ଅଧିକାରୀ ଏବଂ ସମାଜ ମଙ୍ଗଳ ଅଧିକାରୀମାନେ ସଦସ୍ୟ ଭାବେ ରହିଛନ୍ତି। ଜିଲ୍ଲାପାଳ ଶ୍ରୀ ଚହ୍ବାଣ ବୈଠକରେ କହିଛନ୍ତି ଯେ, ଟ୍ରାଫିକ ଛକ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ବଜାର ପରି ସର୍ବସାଧାରଣ ସ୍ଥାନରେ ଭିକ୍ଷାବୃତ୍ତି କରୁଥିବା ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଦ୍ଧାର କରାଯିବ। ଉଦ୍ଧାର ପରେ ସେମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉପଯୁକ୍ତ କାଉନସେଲିଂ ପ୍ରଦାନ କରାଯିବ। ଏଥିସହିତ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି ଯେ, ଶିଶୁମାନଙ୍କୁ ଭିକ୍ଷାବୃତ୍ତି ପାଇଁ ବ୍ୟବହାର କରୁଥିବା ବ୍ୟକ୍ତି ବା ଗୋଷ୍ଠୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶିଶୁ ମାନଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ପୋଲିସ ଏବଂ ଶିଶୁ ସୁରକ୍ଷା ୟୁନିଟ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ