
ଭୁବନେଶ୍ୱର, 08 ଏପ୍ରିଲ (ହି.ସ.) କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଛି।
ଏକାଥରେ ୬ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିବାବେଳେ, ଏଥିରେ ଜଣେ ଅତିରିକ୍ତ ଏସ୍ପି, ୧୧ଜଣ ଡିଏସ୍ପି, ୯ଜଣ ଇନ୍ସପେକ୍ଟର ଏବଂ ୮ଜଣ ଏଏସଆଇ ସମ୍ମିଳିତ ଅଛନ୍ତି।
ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀରେ ଥିବା ତାଙ୍କ ୩ମହଲା ବାସଭବନ ସହିତ ଯାଜପୁର ଜିଲ୍ଲାର ବଡ଼ଚଣାରେ ପୈତୃକ ଘର, ଢେଙ୍କାନାଳରେ ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରରେ ଅଫିସ ଚେମ୍ବର, ଢେଙ୍କାନାଳରେ ଥିବା ୨ମହଲା ଘର ଓ ଫାର୍ମହାଉସ ଏବଂ କଟକରେ ଜଣେ ନିକଟ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଉଛି।
ପ୍ରାରମ୍ଭିକ ତଦନ୍ତରେ ଭୁବନେଶ୍ୱର ସ୍ଥିତ ଘରୁ ୭ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଏଥି ସହ ବିପୁଳ ପରିମାଣର ସୁନା ଅଳଙ୍କାର, ବିଦେଶୀ ଦାମୀ ଘଡ଼ି ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।
ଭୁବନେଶ୍ୱର ସହିତ କଟକ, ଢେଙ୍କାନାଳ ଓ ଯାଜପୁରରେ ଏହିଚଢ଼ାଉ ଜାରି ରହିଥିବାବେଳେ, ଅଧିକ ସମ୍ପତ୍ତି ଓ ବେନାମୀ ଆସେଟ୍ସ ସନ୍ଦାନରେ ତଦନ୍ତ ଜୋରଦାର କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ