
ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - ପ୍ରଶାସନିକ ପ୍ରଶିକ୍ଷଣ ଏବଂ ସମୀକ୍ଷା କାର୍ଯ୍ୟକ୍ରମର ଅଂଶସ୍ୱରୂପ, ଭାରତୀୟ ପ୍ରଶାସନିକ ସେବା (ଓଇଝ) ପ୍ରୋବେସନାରୀ ଅଧିକାରୀମାନେ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଆୟୋଜିତ ଏକ କ୍ଷେତ୍ର ପରିଦର୍ଶନ ଏବଂ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହୋଇଥିଲେ।
ଏହି ଅବସରରେ ପ୍ରୋବେସନାରୀ ଅଧିକାରୀମାନେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ବିଭାଗର ପ୍ରମୁଖ ସଫଳତା, ଗୁରୁତ୍ୱପୂର୍ଣ୍ଣ ଯୋଜନା ଏବଂ ବିଭିନ୍ନ ପ୍ରାଥମିକତା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା। ଏହି ଅଧିବେଶନ ଜରିଆରେ ଅଧିକାରୀମାନେ ସହରାଂଚଳ ସେବା ପ୍ରଦାନ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଗଭୀର ଜ୍ଞାନ ଆହରଣ କରିବାର ସୁଯୋଗ ପାଇଥିଲେ।ଏହି ମତ ବିନିମୟ କାର୍ଯ୍ୟକ୍ରମ ପ୍ରଶାସନିକ ସମନ୍ୱୟ, କାର୍ଯ୍ୟକ୍ରମର ରୂପାୟନ ଏବଂ ସହରାଂଚଳ ବିକାଶ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ବୁଝିବାରେ ସହାୟକ ହୋଇଥିଲା।
ଏହାପରେ ଅଧିକାରୀମାନେ ବୁଦ୍ଧ ବିହାର ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଚାଲିଥିବା ସୁଲଭ ଗୃହ ପ୍ରକଳ୍ପଗୁଡ଼ିକର କ୍ଷେତ୍ର ଅନୁଧ୍ୟାନ କରିଥିଲେ। ସେଠାରେ ସେମାନେ ହିତାଧିକାରୀ-କୈନ୍ଦ୍ରିକ ପଦକ୍ଷେପ ଏବଂ ଜଳବାୟୁ ଅନୁକୂଳ ନିର୍ମାଣ ଶୈଳୀ ସମ୍ପର୍କରେ ଅବଗତ ହୋଇଥିଲେ।
ଅଧିକାରୀମାନେ ଓଡ଼ିଶା ଅର୍ବାନ ଏକାଡେମୀ, ମଳ ପଙ୍କ ପରିଚାଳନା ପ୍ଲାଂଟ ଏବଂ ଜଳ ବିଶୋଧନ ପ୍ଲାଂଟ ମଧ୍ୟ ପରିଦର୍ଶନ କରିଥିଲେ। ସେଠାରେ ବିଭାଗୀୟ ଅଧିକାରୀମାନେ ସହରାଂଚଳ ପରିମଳ ବ୍ୟବସ୍ଥା ଏବଂ ଜଳ ଯୋଗାଣ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ବିଶୋଧନ ପ୍ରକ୍ରିୟା, ପରିଚାଳନା କୌଶଳ ଏବଂ ସେବା ପ୍ରଦାନର ଭିତିଭୂମି ସମ୍ପର୍କରେ ମଧ୍ୟ ଅଧିକାରୀମାନେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ।
ସାମଗ୍ରିକ ଭାବେ, ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଇଏଏସ୍ ପ୍ରୋବେସନାରୀ ଅଧିକାରୀମାନଙ୍କୁ ସହରାଂଚଳ ଶାସନ, ଭିତିଭୂମି ବିକାଶ ଏବଂ ସାଧାରଣ ସେବା ପ୍ରଦାନ ବ୍ୟବସ୍ଥା ବିଷୟରେ ବାସ୍ତବିକ ଜ୍ଞାନ ପ୍ରଦାନ କରିବା, ଯାହା ସେମାନଙ୍କୁ ଆଗାମୀ ଦିନରେ ଦକ୍ଷତାର ସହ ପ୍ରଶାସନିକ ଦାୟିତ୍ୱ ତୁଲାଇବାରେ ସହାୟକ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା