
ନୂଆଦିଲ୍ଲୀ, ୯ ଅପ୍ରେଲ (ହି.ସ.)- ଦେଶରେ ଯେକୌଣସି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ପ୍ରସ୍ତୁତ ରଖିବା ପାଇଁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସି. ଆଇ. ଏସ୍. ଏଫ୍.) ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବାର୍ଷିକ ଏଂଟି-ହାଇଜ୍ୟାକିଙ୍ଗ ଅଭ୍ୟାସ କରିଛି । ଏହି ସମରାଭ୍ୟାସର ନେତୃତ୍ୱ ନେଇଥିଲେ ଡିଆଇଜି ବାବୁ ରାମ ଏବଂ ଏଥିରେ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।
ଏହି ଅଭ୍ୟାସରେ ଏନ୍. ଏସ୍. ଜି., ଦିଲ୍ଲୀ ପୋଲିସ୍, ଆଇ. ବି., ବି. ସି. ଏ. ଏସ୍., ଡି. ଜି. ସି. ଏ., ଡି. ଆଇ. ଏ. ଏଲ୍., ଏୟାରପୋର୍ଟ ଫାୟାର ଟିମ୍, ମେଡ଼ିକାଲ ଟିମ୍ ଏବଂ ଏୟାରଲାଇନ୍ସ ଅଂଶଗ୍ରହଣ କରିଥିଲେ ବୋଲି ସି. ଆଇ. ଏସ୍. ଏଫ୍. ଏକ ଏକ୍ସ ପୋଷ୍ଟରେ କହିଛି । ସି. ଆଇ. ଏସ୍. ଏଫ୍. ର କୁଇକ୍ ରିଆକ୍ସନ୍ ଟିମ୍, ବମ୍ ଡିସ୍ପୋଜାଲ୍ ସ୍କ୍ୱାଡ୍ ଏବଂ ଡଗ୍ ସ୍କ୍ୱାଡ୍ ମିଳିତ ଭାବେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ପ୍ରଦର୍ଶନ କରିଥିଲେ । ଏଭଳି ଅଭ୍ୟାସ ସମସ୍ତ ଏଜେନ୍ସି ମଧ୍ୟରେ ସମନ୍ୱୟ ଏବଂ ପ୍ରସ୍ତୁତିକୁ ଯାଂଚ୍ କରିଥାଏ । କୌଣସି ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷା ବାହିନୀ କେତେ ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କରନ୍ତି, ଡାକ୍ତରୀ ଦଳ କେତେ ଶୀଘ୍ର ଘଟଣାସ୍ଥଳରେ ପହଂଚନ୍ତି ଏବଂ ବିମାନବନ୍ଦର ପରିଚାଳନା ସହିତ ଜଡ଼ିତ ଅନ୍ୟ ଏଜେନ୍ସିଗୁଡିକ କିପରି ସହଯୋଗ କରନ୍ତି ତାହା ଏହା ଦେଖୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ