

ଭୁବନ, ୧୨ ମେ (ହି.ସ.) - ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଭାବେ ପରିଚିତ ଢ଼େଙ୍କାନାଳ ଜିଲ୍ଲାର ଭୁବନ ୧୯୭୨ ମସିହାରେ ବିଜ୍ଞାପିତ ଅଂଚଳ ପରିଷଦ ଭାବେ ପ୍ରତିଷ୍ଠା ହୋଇଥିଲା । ୧୫ ଟି ପାଟଣା ଏବେ ୧୫ ଟି ୱାର୍ଡରେ ପରିଣତ ହୋଇଛି । ସମୁଦାୟ ୪.୪୫୭ ଏକର ପରିସୀମାକୁ ନେଇ ଗଠିତ ଭୁବନ ଏନ୍ ଏ ସି ଏବେ ୫୫ ବର୍ଷରେ ପାଦ ଦେଇଛି । ୨୦୧୧ ଜନ ଗଣନା ଅନୁସାରେ ଲୋକସଂଖ୍ୟା ସମୁଦାୟ ୨୨ ହଜାର ୨ ଶହ ଥିଲା। ଯାହାକି ଏବେ ୪୦ ହଜାରରୁ ଊର୍ଦ୍ଧ୍ୱ । ୫୦ ବର୍ଷ ପୂରଣ କରିଥିବା ଭୁବନ ଏନ୍ ଏ ସି ରେ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଯେତିକି ବିକାଶ ହେବା କଥା ସେତିକି ହୋଇନାହିଁ। ପରିସୀମା ଦିନକୁ ଦିନ ବୃଦ୍ଧି ପାଇବା ବଦଳରେ ସଙ୍କୁଚିତ ହୋଇ ଯାଉଛି । ଏନ୍ ଏ ସି ପରିସୀମା ଆରମ୍ଭରେ ସ୍ୱାଗତ ତୋରଣ ନକରି ସହର ମଧ୍ୟରେ କାହା ନିର୍ଦ୍ଦେଶରେ କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ୨୦୨୨ ପୂର୍ବ ନଗରପାଳଙ୍କ ଦୂର ଦୃଷ୍ଟି ଅଭାବରୁ ତରବରିଆ ଭାବେ ନୀଳ ମାଧବ ପେଟ୍ରୋଲ ପମ୍ପ ଛକ ଏବଂ ଭୁବନ - ଢ଼େଙ୍କାନାଳ ରାସ୍ତାର ବାରିଜଙ୍ଗ ଛକରେ ଗୋଟିଏ ଲେଖାଏଁ ସ୍ୱାଗତ ତୋରଣ ନିର୍ମାଣ କରାଯାଇଥିଲା । ଏହି ତୋରଣକୁ ଆଧୁନିକକରଣ କରି ଲାଇଟ୍ ଲଗାଯିବାକୁ ବର୍ତମାନର ଲୋକପ୍ରିୟ ନଗରପାଳ ୨ ବର୍ଷ ପୂର୍ବେ ନିଷ୍ପତି ନେଇଥିଲେ । ରାଜ୍ୟରେ ସରକାର ପରିବର୍ତନ ହେବା ପରେ ନଗରପାଳ ଶ୍ରୀଯୁକ୍ତ ସାହୁ ରାଜନୈତିକ ଚକ୍ରାନ୍ତର ଶିକାର ହୋଇ ଦୀର୍ଘ ୬ ମାସ କାଳ କ୍ଷମତାଚ୍ୟୁତ ହୋଇ ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ ବଳରେ ପୁନର୍ବାର କ୍ଷମତାସୀନ ହୋଇଛନ୍ତି । ବର୍ତମାନ ସହର ମଧ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଆଧୁନିକକରଣ ଲାଇଟ୍ ଗେଟ୍ ( ସ୍ୱାଗତ ତୋରଣ) କରାଯିବାକୁ ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମାନେ ନାପସନ୍ଦ କରୁଛନ୍ତି। ପଶ୍ଚିମ ଦିଗରେ ବାଟ ତାରିଣୀ /ଥାନା ଛକ ଯାଏ ଏନ୍ ଏ ସି ପରିସୀମା ବୃଦ୍ଧି ପାଇଥିବା ବେଳେ ଉତର ଦିଗରେ ବାଉଁଶ କଣ ଏବଂ ପୂର୍ବ ଦିଗରେ ବାରିଜଙ୍ଗ ପର୍ଯ୍ୟନ୍ତ ଏନ୍ ଏ ସି ପରିସୀମା ରହିଛି । ତେଣୁ ସ୍ୱାଗତ ତୋରଣ ନୀଳ ମାଧବ ପେଟ୍ରୋଲ ପମ୍ପ ବଦଳରେ ବାଉଁଶକଣ ଏବଂ କୋର୍ଟ ଛକ ବଦଳରେ ଥାନା ଛକରେ କରାଯିବାକୁ ଜନ ସାଧାରଣରେ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ