ସୁପ୍ରିମକୋର୍ଟରେ ଟଙ୍କଧରଙ୍କୁ ନିରାଶା, ଝାରସୁଗୁଡ଼ା ନିର୍ବାଚନୀ ମାମଲାରେ ଦୀପାଳିଙ୍କ ପକ୍ଷ ଶକ୍ତିଶାଳୀ
ଝାରସୁଗୁଡ଼ା, ୧୨ ମଇ (ହି.ସ.)- ଝାରସୁଗୁଡ଼ା ନିର୍ବାଚନୀ ବିବାଦ ମାମଲାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ଦାୟର କରିଥିବା ସ୍ଵତନ୍ତ୍ର ଅନୁମତି ପିଟିସନ୍ (ଏସଏଲପି)କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ସୁପ୍ରିମକୋର୍ଟରେ ଟଙ୍କଧରଙ୍କୁ ନିରାଶା, ଝାରସୁଗୁଡ଼ା ନିର୍ବାଚନୀ ମାମଲାରେ ଦୀପାଳିଙ୍କ ପକ୍ଷ ଶକ୍ତିଶାଳୀ


ଝାରସୁଗୁଡ଼ା, ୧୨ ମଇ (ହି.ସ.)- ଝାରସୁଗୁଡ଼ା ନିର୍ବାଚନୀ ବିବାଦ ମାମଲାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ଦାୟର କରିଥିବା ସ୍ଵତନ୍ତ୍ର ଅନୁମତି ପିଟିସନ୍ (ଏସଏଲପି)କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହ ମାମଲାଟିକୁ ମଧ୍ୟ ଡ଼ିସପୋଜ୍ ଅଫ୍ କରାଯାଇଛି। ଏହି ରାୟ ପରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ପକ୍ଷ ଆଇନଗତ ଭାବେ ଅଧିକ ସୁଦୃଢ଼ ହୋଇଥିବା ବେଳେ ଝାରସୁଗୁଡ଼ା ରାଜନୀତିରେ ପୁଣି ଚର୍ଚ୍ଚା ଜୋର୍ ଧରିଛି।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରି ଦୀପାଳି ଦାସ ଓଡ଼ିଶା ହାଇକୋର୍ଟରେ ଏକ ନିର୍ବାଚନୀ ପିଟିସନ୍ ଦାୟର କରିଥିଲେ। ମାମଲାଟିକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଖାରଜ କରିବା ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀ ଆବେଦନ କରିଥିଲେ। ଶପଥପତ୍ରରେ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ସେ ମାମଲାଟି ଶୁଣାଣିଯୋଗ୍ୟ ନୁହେଁ ବୋଲି ଯୁକ୍ତି ରଖିଥିଲେ। କିନ୍ତୁ, ହାଇକୋର୍ଟ ସେହି ଆବେଦନକୁ ଅଗ୍ରାହ୍ୟ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୁପ୍ରିମକୋର୍ଟର ଡାଏରୀ ନମ୍ବର ୧୭୨୭୪/୨୦୨୬ ଅନୁଯାୟୀ, ଭାରତର ମୁଖ୍ୟ ବିଚାରପତି ଓ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଆବେଦନରେ କୌଣସି ଦୃଢ଼ ଆଧାର ନଥିବା ଦର୍ଶାଇ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଦୀପାଳି ଦାସଙ୍କ ପକ୍ଷରୁ ଆଇନଜୀବୀ ଅଭିଜ୍ଞାନ ଝା କ୍ୟାଭିଏଟ୍ ଦାଖଲ କରିଥିଲେ।

ଏହି ରାୟ ପରେ ଏବେ ଓଡ଼ିଶା ହାଇକୋର୍ଟରେ ନିର୍ବାଚନୀ ମାମଲାର ମୁଖ୍ୟ ଶୁଣାଣି ପୂର୍ବବତ୍ ଜାରି ରହିବ। ବୈଷୟିକ ଆଧାରରେ ମାମଲାକୁ ଅଟକାଇବାରେ ଟଙ୍କଧର ତ୍ରିପାଠୀ ବିଫଳ ହୋଇଥିବାରୁ ଆଗାମୀ ଶୁଣାଣି ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ଆଇନଗତ ଲଢ଼େଇ ଝାରସୁଗୁଡ଼ା ରାଜନୀତିକୁ କେଉଁ ଦିଗକୁ ନେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande