
ସମ୍ବଲପୁର, ୧୨ ମେ (ହି.ସ.) - ଅଇଁଠାପାଲି ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥର ଭାଲୁପାଲି ଛକରେ ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା ଜଣାପଡିଛି । ବୃଦ୍ଧ ଜଣଙ୍କ ଅଇଁଠାପାଲି ଥାନା ଅନ୍ତର୍ଗତ ବୈଦର ନୁଆପାଲି ଗ୍ରାମର ୬୮ ବର୍ଷିୟ କୃଷ୍ଣଚନ୍ଦ୍ର ପଟ୍ଟା ବୋଲି ଜଣାପଡ଼ିଛି। ଭାଲୁପାଲି ଛକରେ ସେ ରାସ୍ତା ପାର୍ ହେଉଥିବା ବେଳେ ହଠାତ୍ ଦ୍ରୃତଗାମୀ ଓଡି୧୬ଏନ୬୫୬୯ ନମ୍ବର ବୁଲେଟ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ରାସ୍ତାରେ ଘୋଷାଡ଼ି ହୋଇ ଛିଟିକି ପଡ଼ିବା ସହ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ପ୍ରଥମେ ସ୍ଥାନୀୟ ବିକାଶ ହସ୍ପିଟାଲରେ ଭର୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରିବାର ଲୋକଙ୍କ ଅନୁରୋଧ କ୍ରମେ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଆଜି ଭୋର ୫ଟା ୨୦ ମିନିଟରେ ଚିକିତ୍ସାଧୀନ ଶଯ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୋଲିସ ଦୁର୍ଘଟଣାଗ୍ରସ୍ତ ବୁଲେଟ୍କୁ ଥାନାରେ ଅଟକ ରଖିଥିବା ବେଳେ ଅଭିଯୁକ୍ତ ବୁଲେଟ୍ ଆରୋହୀ ଦ୍ୱୟ ଝାରସୁଗୁଡା ଜିଲ୍ଲା କୋଲାବିରା ଅଂଚଳର ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ବୈଦାର ନୁଆପାଲି ସମଲେଇ ଝାଙ୍କର ଭାବେ ପରିଚିତ କୃଷ୍ଣଚନ୍ଦ୍ର ଗ୍ରାମର କୀର୍ତନ ମଣ୍ଡଳୀରେ ସେ ଜଣେ ଜଣାଶୁଣା ବାଦକ ଥିଲେ। କୃଷ୍ଣଚନ୍ଦ୍ରଙ୍କ ଏଭଳି ଅକାଳ ବିୟୋଗରେ ତାଙ୍କ ବିଧବା ପତ୍ନୀ ସୁଭଦ୍ରା ପଟ୍ଟା, ଦୁଇ ବିବାହିତ ଝିଅ ଓ ଜଣେ ଅବିବାହିତ ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ