
ଝାରସୁଗୁଡା, ୧୨ ମଇ (ହି.ସ.)- ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮ କେଜି ଗଞ୍ଜେଇ, ୫୮ ଲିଟର ଦେଶୀ ମଦ, ୫.୨୦୦ ଲିଟର ବିଅର ଓ ୨୦୦ ଲିଟର ହାଣ୍ଡିଆ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଝାରସୁଗୁଡା ଅବକାରୀ ଥାନା, ଅବକାରୀ ରେଞ୍ଜ ଏବଂ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସଂଯୁକ୍ତ ଟିମ୍ ପକ୍ଷରୁ ପୁରୁଣାବସ୍ତି (ଓରାମପଡା), ସରବେଣ୍ଡା, ଓଏମପି (ଭୂୟାଁପଡା), ଇବ ରେଲୱେ ଷ୍ଟେସନ, କୁଟୁରାଚୁଁଆ ଓ ବିଦ୍ୟାନଗର (ପଞ୍ଚପଡା) ସମେତ ସାତଟି ସ୍ଥାନରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଅବୈଧ ଗଞ୍ଜେଇ ଓ ମଦ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ପୁରୁଣାବସ୍ତିର ଅଜୟ ଓରାମ, ସରବେଣ୍ଡାର ସବିତା ଓରାମ, ଓଏମପିର ରିତା ରାଏ ଓ କିଶୋର ରଣା, ଝାରଖଣ୍ଡର ଛତ୍ରପୁର ଅଞ୍ଚଳର କୁନ୍ଦନ କୁମାର, କୁଟୁରାଚୁଁଆର ସୁବରାଜ ଖଡିଆ ଏବଂ ବିଦ୍ୟାନଗରର ଟଙ୍କଧର ବେହେରାଙ୍କୁ ଗିରଫ କରାଯାଇଥିଲା ।
ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଜିଲ୍ଲାରେ ଅବୈଧ ମଦ ଓ ଗଞ୍ଜେଇ କାରବାର ରୋକିବା ପାଇଁ ଆଗାମୀ ଦିନରେ ଏପରି ଚଢ଼ଉ ଜାରି ରହିବ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ