ଝାରସୁଗୁଡାରେ ‘ଉନ୍ମେଷ-୨୦୨୬’: ମ୍ୟାଟ୍ରିକ ମେଧାବୀଙ୍କୁ ସମ୍ବର୍ଦ୍ଧନା
ଝାରସୁଗୁଡା, ୧୨ ମଇ (ହି.ସ.)- ମାଧ୍ୟମିକ ଶିକ୍ଷା ପରିଷଦ ଆୟୋଜିତ ୨୦୨୬ ମସିହା ଦଶମ ଶ୍ରେଣୀ ପରୀକ୍ଷାରେ ଝାରସୁଗୁଡା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମରେ ‘ଉନ୍ମେଷ-୨୦୨୬’ ନାମକ ଭବ୍ୟ ସମ୍ବର୍ଦ୍ଧନା
ଝାରସୁଗୁଡାରେ ‘ଉନ୍ମେଷ-୨୦୨୬’: ମ୍ୟାଟ୍ରିକ ମେଧାବୀଙ୍କୁ ସମ୍ବର୍ଦ୍ଧନା


ଝାରସୁଗୁଡା, ୧୨ ମଇ (ହି.ସ.)- ମାଧ୍ୟମିକ ଶିକ୍ଷା ପରିଷଦ ଆୟୋଜିତ ୨୦୨୬ ମସିହା ଦଶମ ଶ୍ରେଣୀ ପରୀକ୍ଷାରେ ଝାରସୁଗୁଡା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମରେ ‘ଉନ୍ମେଷ-୨୦୨୬’ ନାମକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି।

ଜିଲ୍ଲାର କୃତୀ ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଭାସି ମାଧ୍ୟମରେ ଯୋଗଦେଇ କହିଥିଲେ ଯେ, “ବିକଶିତ ଓଡ଼ିଶା ଗଠନ ପାଇଁ ସୁଦକ୍ଷ ଓ ସଫଳ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ରହିଛି। କୌଣସି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପ୍ରଶାସନ ସଚେତନ ରହିବା ଆବଶ୍ୟକ।” ସମାରୋହରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପହାର ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ ଯେ, ପରଫର୍ମିଂ ଗ୍ରେଡିଂ ଇଣ୍ଡେକ୍ସରେ ଝାରସୁଗୁଡା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିବା ଜିଲ୍ଲା ପାଇଁ ଗର୍ବର ବିଷୟ। ଚଳିତ ବର୍ଷ ଜିଲ୍ଲାର ପାସ୍ ହାର ୯୭.୮୯ ପ୍ରତିଶତ ରହିଥିବାବେଳେ ୭୮ ଜଣ ଛାତ୍ରଛାତ୍ରୀ ‘ଏ ୧’ ଗ୍ରେଡ୍ ହାସଲ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୩୩ ଥିଲା। ସେହିପରି ୬୫ଟି ଉଚ୍ଚ ବିଦ୍ୟାଳୟ ଶତପ୍ରତିଶତ ସଫଳତା ହାସଲ କରିଛି। ମୁନିସିପାଲ ହାଇସ୍କୁଲ, ଏକାତାଲିର ଛାତ୍ର ନମନ ପ୍ରଧାନ ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସୁଦାମ ବେହେରା ୯୬.୩୩ ପ୍ରତିଶତ ନମ୍ବର ରଖି ରାଜ୍ୟର ଶ୍ରେଷ୍ଠ ୫ ମେଧାବୀଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ନମନ ଆଇ ଏ ଏସ ଓ ସୁଦାମ ଡାକ୍ତର ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande