
ମୁଖୀଗୁଡା, ୧୨ ମଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ପାଣି ଦ୍ବାରା ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକର ପ୍ରାୟ ୧୮ ହଜାର ୮୮୫ ହେକ୍ଟର ଜମିରେ ଚଳିତ ରବି ଋତୁରେ ଧାନ ଚାଷ କରାଯାଇଛି। ଫସଲ ଅମଳ ସମୟ ପାଖେଇ ଆସୁଥିଲେ ମଧ୍ୟ ଚାଷୀଙ୍କ ଧାନ ମଣ୍ଡିରେ ବିକ୍ରି ପାଇଁ ଆବଶ୍ୟକୀୟ ପଞ୍ଜିକରଣ ବ୍ୟବସ୍ଥା ହୋଇପାରିଲା ନାହିଁ। ଫଳରେ ଗତ ୮ ତାରିଖରେ ଜୟପାଟଣା, ଧର୍ମଗଡ଼ ଏବଂ କୋକସରା ଅଞ୍ଚଳର ଚାଷୀ କୋକସରା ଠାରେ ଜାତୀୟ ରାଜପଥ ଅବରୋଧ କରି ଚାଷୀମାନେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ସମାଧାନ ବାହାରିଲା ନାହିଁ। ପ୍ରଶାସନର ଉଦାସୀନତା ପ୍ରତିବାଦରେ ଚାଷୀମାନେ ଗତ ୯ ତାରିଖରୁ ପ୍ରତ୍ୟେକ ଦିନ ଲୋକସରାରେ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁସାରେ ଆଜି ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚାଗାଁ ଏବଂ ହୀରାପୁର ପଞ୍ଚାୟତର ଚାଷୀ ଧାରଣାରେ ବସିଥିଲେ। ସେମାନଙ୍କର ଏକମାତ୍ର ଦାବି ସମସ୍ତ ଚାଷୀଙ୍କ ଧାନ ପଞ୍ଜିକରଣ କରାଯାଇ ସରକାରୀ ଦରରେ ଧାନ କିଣାଯିବା ପାଇଁ।
ଆଜି ହିରାପୁର ଏବଂ କୁଚାଗାଁ ଗ୍ରାମ ପଞ୍ଚାୟତର ପରୀକ୍ଷିତ ନାଏକ, ଚାଷୀ ନେତା ଖଗପତି ନାଏକ, ମହେନ୍ଦ୍ର ନାଏକ,ମୋହନ ରାଉତ,ଲକ୍ଷ୍ମଣ ରାଉତ,ରତନ ରାଉତ,ଯଦୁ ବାଣୁଆଁ, ମୀନକେତନ ବାଣୁଆଁ,ଗିରି ଦଳପତି,ସପୂରସିଙ୍ଗ ମାଝୀ, ବାହୁଦେବ ମାଝୀ , ଧରଣୀ ଦାସ , ତୁଲାରାମ ଖମାରି ସମେତ କୋକସରା ବ୍ଲକର ଅନେକ ଚାଷୀ ଚାଷୀ ଧାରଣାରେ ବସିଥିଲେ ।
ହିନ୍ଦୁସ୍ଥାନ ସମାଚାର / ନିହାର