
ଭୁବନେଶ୍ୱର,୧୨ ମଇ (ହି.ସ)- ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ବାଧାପ୍ରାପ୍ତ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧି ଦଳଗୁଡିକ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତକତା କରିଛନ୍ତି । ଏହାର ପ୍ରତିବାଦରେ ମଙ୍ଗଳବାର ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ଭୀମେଶ୍ୱର ଓ ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଭୀମେଶ୍ୱର ମଣ୍ଡଳ ପକ୍ଷରୁ ସୁନ୍ଦରପଦା କପିଳପ୍ରସାଦ ଦୁର୍ଗା ମଣ୍ଡପ ଠାରୁ ଆରମ୍ଭ ହୋଇ ଲିଙ୍ଗରାଜ ମନ୍ଦିର ଠାରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଶେଷ ହୋଇଥିଲା। ସେହି ଭଳି ଲିଙ୍ଗରାଜ ମଣ୍ଡଳ ପକ୍ଷରୁ ମାଉସୀ ମା ଛକ ଠାରୁ ଆରମ୍ଭ ହୋଇ ବିନ୍ଦୁସାଗର ଠାରେ ଶେଷ ହୋଇଥିଲା।
ଏହି ପଦଯାତ୍ରାରେ ଯୋଗ ଦେଇ ବିଧାୟକ ବାବୁ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କୁ ବିଧାନସଭା ଓ ଲୋକସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେଇ ସେମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରିବାକୁ ଚାହୁଁଥିବାବେଳେ ବିରୋଧୀ ଦଳ ଗୁଡିକ ନିଜର ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଏହାକୁ ବିଫଳ କରିଛନ୍ତି । ଏହା କେବଳ “ଏକ ବିଲ୍ ର ପରାଜୟ ନୁହେଁ, ବରଂ ମା’ ମାନଙ୍କ ସ୍ୱପ୍ନର ଭୃଣହତ୍ୟା” । ଏହା ମୋଦିଙ୍କ ପରାଜୟ ନୁହେଁ, ଦେଶର ସମଗ୍ର ମହିଳାଙ୍କ ପାଇଁ ଶକ୍ତ ଧକ୍କା । ବିଶେଷକରି କଂଗ୍ରେସ ଏବଂ ଅନ୍ୟ ବିରୋଧୀଦଳଗୁଡିକ କେବଳ ମହିଳାଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିବାବେଳେ,ମୋଦୀ ସରକାର ସେମାନଙ୍କୁ ପ୍ରକୃତ ସଶକ୍ତିକରଣ ପ୍ରଦାନ କରିବାକୁ ସଂକଳ୍ପବଦ୍ଧ । ଆଜିର ଏହି ଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ବ୍ୟାପିବ ଏବଂ ଏହି ଜନ ଆକ୍ରୋଶରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ । ମହିଳାମାନେ ଚୁପ୍ ନରହି ନିଜ ଅଧିକାର ପାଇଁ ସ୍ୱର ଉତୋଳନ କରିବାକୁ ବିଧାୟକ ଶ୍ରୀ ସିଂ ଆହ୍ୱାନ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଭୀମେଶ୍ୱର ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ, ଲିଙ୍ଗରାଜ ମଣ୍ଡଳ ସଭାପତି ଦୁର୍ଗା ପ୍ରସାଦ ମହାପାତ୍ର,କର୍ପୋରେଟର ମଧୁସ୍ମିତା ପ୍ରଧାନ,ଭୀମେଶ୍ୱର ମଣ୍ଡଳ ମହିଳା ସଭାପତି ପୁର୍ଣିମା ପଟ୍ଟନାୟକ,ଲିଙ୍ଗରାଜ ମଣ୍ଡଳ ମହିଳା ସଭାପତି ସିପ୍ରା ସେନାପତି ପ୍ରମୁଖ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା