
କେନ୍ଦ୍ରାପଡ଼ା, ୧୨ ମଇ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇସେରପୁର ପଂଚାୟତର ପୁରୁଷୋତମପୁର ଗ୍ରାମରେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପଥର ବନ୍ଧର ଏକ ଅଂଶ ଧସି ପଡ଼ିଥିବା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବନ୍ଧ ଧସିଯାଇଥିବାରୁ ନଦୀକୂଳିଆ ଚାଷଜମି ସହ ନିକଟସ୍ଥ ଜନବସତି ମଧ୍ୟ ବିପଦ ସମ୍ମୁଖୀନ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଅବହେଳା ଯୋଗୁଁ ଅଳ୍ପ ସମୟ ମଧ୍ୟରେ ବନ୍ଧର ଏପରି ଅବସ୍ଥା ସୃଷ୍ଟି ହୋଇଛି। ବର୍ଷା ଋତୁ ପୂର୍ବରୁ ବନ୍ଧ ଧସିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଅସନ୍ତୋଷ ଦେଖାଦେଇଛି। ଯଦି ତୁରନ୍ତ ମରାମତି କାମ କରାଯିବ ନାହିଁ, ତେବେ ଆଗାମୀ ଦିନରେ ନଦୀର ଜଳପ୍ରବାହ ବୃଦ୍ଧି ପାଇଲେ ବ୍ୟାପକ କ୍ଷତି ଘଟିବାର ସମ୍ଭାବନା ରହିଛି। ଏଥିସହ ଚାଷଜମି ଭାସିଯିବା ସହ ଗ୍ରାମବାସୀଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ଗ୍ରାମବାସୀମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିବାବେଳେ, ତୁରନ୍ତ ବନ୍ଧର ମରାମତି କାମ ଆରମ୍ଭ କରିବାକୁ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବର୍ଷା ଆସିବା ପୂର୍ବରୁ ଯଦି ସଠିକ୍ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ପରିସ୍ଥିତି ଆହୁରି ଭୟାବହ ହୋଇପାରେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି