
ଭୁବନେଶ୍ୱର,୧୨ ମଇ (ହି.ସ)- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଗୋଠପାଟଣାଠାରେ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଆରଓଟିଆଇ) ପରିଦର୍ଶନ କରି ଏକ ସ୍ୱତନ୍ତ୍ର ସଭାରେ ଯୋଗ ଦେଇ ଓଡିଶା ରାଜସ୍ୱ ସେବାର ୭୪ଜଣ ଓଡ଼ିଶା ରାଜସ୍ୱ ସେବା ପ୍ରଶିକ୍ଷାର୍ଥୀ(ଓଆରଏସ୍ ଟ୍ରେନି)ଙ୍କ ସହିତ ଆଲୋଚନା ଏବଂ ଭାବ ବିନିମୟ କରିବା ସହ ନିଷ୍ଠା ଓ ପ୍ରତିବଦ୍ଧତାର ସହ ଲୋକସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଛନ୍ତି ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆରଓଟିଆଇର ପାଠ୍ୟକ୍ରମ ସଂଯୋଜକ ସୌମ୍ୟକାନ୍ତ ସୌମ୍ୟଦର୍ଶୀ ପ୍ରଶିକ୍ଷଣ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ରାଜସ୍ୱ ସେବା ସମ୍ପର୍କିତ ବିଭିନ୍ନ ଆଇନ୍ ତଥା ନିୟମ ସମ୍ୱନ୍ଧରେ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ପ୍ରଶିକ୍ଷଣରେ ପଢାଯାଇଥିବା ବିଭିନ୍ନ ବିଷୟରେ ପଚାରି ବୁଝିବା ସହ ଜନସାଧାରଣଙ୍କ ନିମନ୍ତେ ରାଜସ୍ୱ ସେବା କିପରି ସହଜଲବ୍ଧ ହୋଇପାରିବ, ସେ ସମ୍ପର୍କରେ ସମସ୍ତେ ଯତ୍ନବାନ୍ ହେବାକୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ରାଜସ୍ୱ ସେବା ଦିଗରେ ଥିବା ବିଭିନ୍ନ ଆହ୍ୱାନ ସମ୍ୱନ୍ଧରେ ଆଲୋଚନା କରିବା ସହ ହାଇଟେକ୍ ସର୍ଭେ ସମ୍ୱନ୍ଧରେ ନୂଆ ଅଧିକାରୀମାନେ ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଜମି ଅଧିଗ୍ରହଣ ଆଇନ, ପୁନର୍ବାସ ଓ ଥଇଥାନ ନିୟମ ସମ୍ୱନ୍ଧରେ ଆଲୋଚନା କରି ସର୍ବପ୍ରଥମେ ସାଧାରଣ ଲୋକଙ୍କ ପକ୍ଷଧର ହେବାକୁ ଅଧିକାରୀମାନଙ୍କୁ ସେ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ରାଜସ୍ୱ ସେବା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ବୈଷୟିକ ଦୃଷ୍ଟିକୋଣରୁ ଅଧିକ ଦକ୍ଷତାସମ୍ପନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ କ୍ଷ ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ଦେବଗଡ଼ ଆଦି ଜିଲ୍ଲାରେ ହାଇଟେକ୍ ସର୍ଭେ ପ୍ରକିୟା ସଫଳତାର ସହ ଚାଲିଥିବା ବେଳେ ଆଗାମୀ ଦିନରେ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହାର ଆବଶ୍ୟକତା ଯୋଗୁ ରାଜସ୍ୱ ଅଧିକାରୀମାନେ ଅଧିକ ଦକ୍ଷ ହେବାର ଆବଶ୍ୟକତା ରହିଚି ବୋଲି ସେ ମତପ୍ରକାଶ କରିଥିଲେ। ସେଥିନିମନ୍ତେ ଉପଯୁକ୍ତ ପ୍ରଶିକ୍ଷାର୍ଥୀଙ୍କୁ ସ୍ୱତନ୍ତ୍ର ଭାବେ ହାଇଟେକ୍ ସର୍ଭେ ସମ୍ବନ୍ଧିତ ଅଧିକ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିପରି କେବଳ ଶ୍ରେଣୀଗୃହ ପ୍ରଶିକ୍ଷଣରେ ସୀମିତ ନ ରହି ଏହାର ବାସ୍ତବ ଉପଯୋଗ ନିମନ୍ତେ ପ୍ରାକ୍ଟିକାଲ ଟ୍ରେନିଂ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶା ପରି ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଆରଏସ୍ ଅଧିକାରୀମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ତାଲିମରେ ଦକ୍ଷ ହେବାକୁ ସେ ଆହ୍ୱାନ ଦେଇଥିଲେ । ଗୁଣାତ୍ମକ ଏବଂ ଉପାଦେୟ ପ୍ରଶିକ୍ଷଣ ସହ ସାଧାରଣ ଜ୍ଞାନର ଉପଯୋଗ ମାଧ୍ୟମରେ ହିଁ ଜଣେ ସଫଳ ଅଧିକାରୀ ହେଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମନ୍ତ୍ରୀ କହିଥିଲେ, ଅହଙ୍କାର ଠାରୁ ଦୂରରେ ରହି ଆମକୁ ନିଷ୍ଠା ଓ ପ୍ରତିବଦ୍ଧତାର ସହ ଲୋକାଭିମୁଖୀ ସେବା ପ୍ରଦାନ ସୁନିଶ୍ଚିତ କରିବାର ଅଛି । ଆମ ଠାରୁ ଅଧିକ ଦକ୍ଷ ଲୋକମାନେ ବି ସୁଯୋଗ ଅଭାବରୁ ଆମ ସ୍ଥାନରେ ପହଂଚି ପାରି ନାହାଁନ୍ତି । ସୁତରାଂ ଆପଣମାନେ ଭଲ କାମ କଲେ ସ୍ୱତଃପ୍ରବୃତ ଭାବେ ଲୋକମାନଙ୍କ ଆଶୀର୍ବାଦ ଏବଂ ସୁନାମ ପାଇପାରିବେ । ଆପଣମାନେ ରାଜସ୍ୱ ସେବା ସମ୍ପର୍କିତ ସମସ୍ତ ଆଇନ୍ ବାରମ୍ବାର ପଢିବା ସହ ଉପଲବ୍ଧି କରନ୍ତୁ । ସକରାତ୍ମକ ଭାବେ ଆଇନର ସଦୁପଯୋଗ କରିବା ଆମର ନୈତିକ ଦାୟିତ୍ୱ । ନିଜକୁ ସେବକ ଭାବି ସାଧାରଣ ଲୋକଙ୍କୁ ମାଲିକ ତଥା ଗୁରୁତ୍ୱପୂର୍ଣ୍ଣ ହିତାଧିକାରୀ ଭାବେ ବିବେଚନା କରି କାର୍ଯ୍ୟ କରିବା ଦ୍ୱାରା ହିଁ ଆପଣମାନେ ଉଦାହରଣ ସୃଷ୍ଟି କରିପାରିବେ କ୍ଷ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ପ୍ରଦାନ କରିବା ସୁନିଶ୍ଚିତ କଲେ ଆପଣମାନେ କୌଣସି ଚାପର ବଶବର୍ତୀ ହେବେ ନାହିଁ । ଆମର ସବୁଠୁଁ ସଶକ୍ତ ସାଧାରଣଜ୍ଞାନ ହିଁ ଆଇନ୍ । ସୁତରାଂ ଯେଉଁଠି କୌଣସି ଆଇନ୍ କିମ୍ବା କର୍ତୃପକ୍ଷଙ୍କ ସହଯୋଗ ମିଳି ପାରୁନାହିଁ ନତୁବା କୌଣସି ଚାପ ପ୍ରୟୋଗ କରାଯାଉଚି, ସେପରି ସ୍ଥଳେ ନିଜର ସାଧାରଣ ଜ୍ଞାନ ପ୍ରୟୋଗ କରି ଆପଣମାନେ ସମସ୍ୟାକୁ ସୁଯୋଗରେ ବଦଳେଇ ସକରାତ୍ମକ ପରିବର୍ତନ କରିବାରେ ନିଶ୍ଚୟ ସଫଳ ହେବେ ।
କାର୍ଯ୍ୟକ୍ରମ ଶେଷରେ ରାଜସ୍ୱ ସେବା ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦିଗନ୍ତ ରାଉତରାୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ତାଙ୍କର ଉପାଦେୟ ପରାମର୍ଶ ଗ୍ରହଣ କରି ଆଗାମୀ ଦିନରେ ରାଜସ୍ୱ ସେବା ଅଧିକାରୀଙ୍କ ନିମନ୍ତେ ଅଧିକ ଦକ୍ଷତାସମ୍ପନ୍ନ ପ୍ରଶିକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଆଶାବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁ, ରାଜସ୍ୱ ସେବା ପ୍ରଶିକ୍ଷଣ ପ୍ରତିଷ୍ଠାନର ସମସ୍ତ ପ୍ରଶିକ୍ଷକ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା