
ଭୁବନେଶ୍ୱର, ୧୩ ମଇ (ହି.ସ.)- ବିଜେପି ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତ ମନମୋହନ ସାମଲଙ୍କ ଉପସ୍ଥିତିରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ବର୍ଗ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଉପସ୍ଥିତ କାର୍ଯ୍ୟକର୍ତା ଓ ଯୁବ ସାଥୀମାନଙ୍କ ସହ ଦଳର ନୀତି, ଆଦର୍ଶ ଏବଂ ଅନୁଶାସନ ଉପରେ ଆଲୋକପାତ କରିଥିଲେ ଏବଂ 'ରାଷ୍ଟ୍ର ପ୍ରଥମ' ବିଚାରଧାରାକୁ ପାଥେୟ କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ପଣ୍ଡିତ ଦୀନଦୟାଲଙ୍କ ଏକାତ୍ମ ମାନବବାଦ ଓ ଅନ୍ତ୍ୟୋଦୟ ସିଦ୍ଧାନ୍ତକୁ ଆଧାର କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମ ସରକାର ସମାଜର ଶେଷ ସୋପାନରେ ଥିବା ବ୍ୟକ୍ତିଙ୍କ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପକୁ ସାକାର କରିବା ପାଇଁ ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ଆମର ଲକ୍ଷ୍ୟ ।
ଏହି ଶିବିରରେ ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପ୍ରଭାରୀ ଶ୍ରୀମତୀ ସୁକେଶୀ ଓରାମ, ସୁଦୀପ୍ତ ରାୟ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା