

ମୁଖୀଗୁଡା,୧୩ ମଇ ( ହିସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ପଂଚାୟତର ତାଳଗୁଡ଼ ଗାଁରେ ଗତ ୧ ତାରିଖରେ ଘଟିଥିବା ଅଭାବନୀୟ ଘଟଣାର ଅନୁସନ୍ଧାନ ପାଇଁ ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ଫେକ୍ଟ ଫାଇଣ୍ଡିଙ୍ଗ ଟିମ ଆଜି ପୀଡିତଙ୍କ ପରିବାରକୁ ଭେଟିଛନ୍ତି। ଗତ ୧ ତାରିଖ ଦିନ ଗୋ ହତ୍ୟା ଏବଂ ଗୋମାଂସ ଚାଲାଣକୁ ନେଇ ତାଳଗୁଡ଼ ଗ୍ରାମର ରାଜେଶ ବାଗଙ୍କ ସମେତ ଅନ୍ୟ କିଛି ଯୁବକଙ୍କୁ ଧାର୍ମିକ ଛଦ୍ମବେଶୀ ଅସାମାଜିକ ଯୁବକମାନଙ୍କ ଦ୍ୱାରା ସର୍ବସାଧାରଣ ସ୍ଥାନରେ ସଂଘବଦ୍ଧ ଭାବେ ଆକ୍ରମଣ କରା ଯାଇଥିଲା ।ଏହି ଘଟଣାରେ ପୀଡିତଙ୍କୁ ଅମାନୁଷିକ ଭାବେ ଶାରୀରିକ ନିର୍ଯାତନା ଦିଆଯାଇଥିଲା ।ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଦଳିତ,ଆଦିବାସୀଙ୍କ ପ୍ରତି ବଢୁଥିବା ହିଂସାକୁ ନେଇ ବିଜେଡି ଗଭୀର ଚିନ୍ତା ପ୍ରକଟ କରିଛି।ବିଜେଡି ଦଳର ୨୦ ଜଣିଆ ପ୍ରତିନିଧି ଦଳ ତାଳଗୁଡ଼ ଗ୍ରାମ ଗସ୍ତ କରି ପୀଡିତ ପରିବାର ସହ ଆଲୋଚନା କରିଛନ୍ତି। ବିଜେଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଧେଶରେ ଏହି ଫେକ୍ଟ ଫାଇଣ୍ଡିଙ୍ଗ ଟିମରେ ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିସିସି ବ୍ୟାଙ୍କ ରାଜ୍ୟ ବୋର୍ଡ ନିର୍ଦ୍ଦେଶକ ଜିତେନ୍ଦ୍ରନାରାୟଣ ସିଂ ଦେଓ, ଜିଲ୍ଲା ବିଜେଡି ଉପସଭାପତି ପ୍ରଦିପ ମୁଣ୍ଡ,ଧର୍ମେନ୍ଦ୍ର ନାଏକ,ଈହଁ ଜିଲ୍ଲା ମହିଳା ସଭାପତି ସବିତା ପ୍ରଧାନ, ଆଦିତ୍ୟ ନନ୍ଦ, ପରମାନନ୍ଦ ମାଝୀ, ସାମନ୍ତ ଖମାରୀ, ବ୍ଲକ ସଭାପତି ମିନିକେତନ ପୂଝରୀ, ଅମ୍ବୁଜ ଧଙ୍ଗଡ଼ାମାଝୀ ତ୍ରିଲୋଚନ ପାଣିଗ୍ରାହୀ, ସେନାପତି ନାଏକ, ଦୀନେଶ ବଗର୍ତି, ମହେନ୍ଦ୍ର ରାଉତ, ରଂଯୁକ୍ତା ପ୍ରଧାନ, ହାରାମଣି ଗଣ୍ଡ, ମହମଦ ବର୍ଗତ ଖାନ, ସତ୍ୟନାରାୟଣ ଅଗ୍ରୱାଲ, ୟୁସୁଫ ଖାନ, ମହିନୀ ନାୟକ, ଭୋଳାନାଥ ନାଗ, ଦେବ ପୂଝରୀ, ବସନ୍ତ ନାଏକ, ବେଲେଲା ମାଝୀ, ହରିହର ସୁନା, ମଳୟ ରାଉତ, ଅନିଲ ସାହୁ, ମୋସୀମ ଖାନ, ହିମାଂଚଳ ନାଏକ ,ଶତ୍ରୁଘନ ରାଉତଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତାମାନେ ସାମିଲ ଥିଲେ।
ଏହି ଟିମ୍ ପୀଡିତ ପରିବାରକୁ ଭେଟି ସମବେଦନା ଜଣାଇ ଥିଲେ । ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଉଚ୍ଚ କତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ । ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଡବଲ ଇଞ୍ଜିନ ସରକାରଙ୍କ ଶାସନ କାଳରେ ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିବା ସହ ଦଳିତ ,ଆଦିବାସୀଙ୍କ ପ୍ରତି ବୈମାତୃକ ମନୋଭାବ ବୃଦ୍ଧି ପାଇ ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ନିହାର