
ଚମ୍ପୁଆ,୧୩ ମେ (ହି.ସ.) - ସର୍ଟ ସର୍କିଟ ଯୋଗୁଁ ଜଳି ପଡ଼ି ପାଉଁସ ହୋଇଗଲା ସରକାରୀ ଓଜନ କଂଟାର କଂଟିନର। କଂଟିନରରେ ଦୀର୍ଘ ବର୍ଷରୁ ଥିବା ଟିପି ଓ ଚାଲାଣ ସବୁ ଜଳି ପଡ଼ି ଛାରଖାର ହୋଇଯାଇଛି। ରାସ୍ତା ସମ୍ପୂର୍ଣ୍ଣ ଟ୍ରାଫିକ ଜାମ ଥିବା ହେତୁ ସଠିକ ସମୟରେ ପହଂଚି ପାରିନଥିଲା ଦମକଳ ବାହିନୀ। ଖବର ଅନୁସାରେ, କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଳକ ଅନ୍ତର୍ଗତ କାଳିମାଟି ଠାରେ ଥିବା ସରକାରୀ ଓଜନ କଂଟାରେ କର୍ମଚାରୀ ମାନେ ହଠାତ୍ ଧୂଆଁ ଉଠିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ଫଳରେ ପାଖରେ ଥିବା ଆର୍ସେଲର ମିତଲ କମ୍ପାନୀର କର୍ତୃପକ୍ଷଙ୍କୁ ଫୋନ୍ କରି ଦମକଳ ବାହିନୀଙ୍କୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ସଙ୍ଗେ ସଙ୍ଗେ କମ୍ପାନୀ ଦମକଳ ବାହୀନି ଗାଡ଼ି ଟିକୁ ପଠେଇ ଥିଲେ ମଧ୍ୟ ରାସ୍ତା ସମ୍ପୂର୍ଣ୍ଣ ଟ୍ରାଫିକ ଜାମ ଥିବା ହେତୁ ସଠିକ ସମୟରେ ପହଂଚି ପାରିନଥିଲା। ଫଳରେ ଘଟଣାସ୍ଥଳରେ ନିଆଁ ଲିଭା ଗାଡ଼ି ପହଂଚିବା ବେଳକୁ ସମସ୍ତ କାଗଜପତ୍ର ଅଧାରୁ ଅଧିକାଂଶ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଏଭଳି ପରିସ୍ଥିତି ଆଗରୁ ମଧ୍ୟ ଅନେକ ବର୍ଷ ପୂର୍ବେ ହୋଇଥିବାରୁ ସେମାନେ ଖଣି ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇଥିବା କଂଟିନାରରେ ଏମ୍ ସି ଭି ସୁଇଜ ଲଗାଯାଇନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଜଣାପଡିଛି। ଏଣୁ ଏଭଳି ଖାମଖିଆଲି ନୀତି ଯୋଗୁଁ ଆଜି ଦୀର୍ଘ ବର୍ଷରୁ ଥିବା ଟିପି ଓ ଚାଲାଣ ସବୁ ଜଳି ପଡ଼ି ପାଉଁସ ହୋଇ ଯାଇଛି। ସରକାରୀ ବିଭାଗୀୟ ଅଧିକାରୀଙ୍କ ଅବହେଳା କାରଣରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta