
ମାଲକାନଗିରି,୧୩ ମଇ (ହି.ସ.) -ସରକାରୀ ଧାନ କ୍ରୟ ବ୍ୟବସ୍ଥା ଉପରେ ଭରସା କରି ଜଣେ ଗରିବ ଚାଷୀ ନିଜ ପରିଶ୍ରମର ଫସଲ ବିକ୍ରୟ କଲେ। ଭାବିଥିଲେ, କିଛି ଦିନ ମଧ୍ୟରେ ଧାନର ଟଙ୍କା ମିଳିଯିବ, ଘରର କରଜ ସୁଝିବେ , ପରିବାରର ଦୁଃଖ କମିବ। କିନ୍ତୁ ଆଜି ସେହି ଚାଷୀ ନିଜ ଟଙ୍କା ପାଇଁ ସରକାରୀ କାର୍ଯ୍ୟାଳୟରୁ କାର୍ଯ୍ୟାଳୟ ଘୁରି ଘୁରି ମାନସିକ ଭାବେ ଭାଙ୍ଗିପଡ଼ିଛନ୍ତି।
ମାଲକାନଗିରି ଜିଲ୍ଲା ଏମ ଭି ୯୬ ଗ୍ରାମର ଛୋଟ ଚାଷୀ ପ୍ରତାପ ବରାଳ ଗତ ଜାନୁଆରୀ ୨୭ ତାରିଖରେ ଏମଭି ୭୯ ଧାନ କ୍ରୟ କେନ୍ଦ୍ରରେ ୪୦ କ୍ୱିଣ୍ଟାଲ ଧାନ ବିକ୍ରୟ କରିଥିଲେ। ହେଲେ ଆଜିକୁ ଠିକ୍ ୧୦୬ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିନାହିଁ।
ପ୍ରତ୍ୟେକ ଦିନ ଘର ଦୁଆରକୁ କରଜ ଦେଇଥିବା ଲୋକେ ଆସୁଛନ୍ତି। ଧାନ ଚାଷ ପାଇଁ ନେଇଥିବା ଋଣ ଏବେ ତାଙ୍କ ପରିବାର ପାଇଁ ଅଭିଶାପ ହୋଇଯାଇଛି। ଘରେ ଚୁଲି ଜଳିବା କଷ୍ଟକର ହୋଇପଡ଼ିଛି। ପିଲାଙ୍କ ଭବିଷ୍ୟତ, ପରିବାରର ଆବଶ୍ୟକତା ଓ ଦିନକୁ ଦିନ ବଢ଼ୁଥିବା ଚିନ୍ତା ମଧ୍ୟରେ ଏହି ଚାଷୀ ପରିବାର ନିରାଶାରେ ଦିନ କାଟୁଛି। ସବୁଠୁ ବଡ଼ କଥା ହେଲା, ପ୍ରତାପ ବରାଳ କେବଳ ଗୋଟିଏ ଜାଗାରେ ନୁହେଁ, ଜନଶୁୁଣାଣି ୱେବସାଇଟ୍ରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ସମସ୍ତ ଦୁଆରେ ନ୍ୟାୟ ଭିକ୍ଷା କରିଛନ୍ତି। କିନ୍ତୁ ପ୍ରତ୍ୟେକ ସ୍ଥାନରୁ ମିଳିଛି କେବଳ ଗୋଟିଏ ଉତ୍ତର — ଅପେକ୍ଷା କରନ୍ତୁ…”ଏହି ୭ ଦିନ ଓ ୧୦ ଦିନର ପ୍ରତିଶ୍ରୁତି ମଧ୍ୟରେ ୫ ମାସ ବିତିଗଲାଣି।
ସମ୍ପ୍ରତି ଲୁଗେଲ ପଞ୍ଚାୟତରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ମଧ୍ୟ ସେ ନିଜ ଦୁଃଖ ଜଣାଇଥିଲେ। ସେଠାରେ କାଲିମେଳା ବ୍ଲକ ଯୋଗାଣ ନିରୀକ୍ଷକ ଚିନ୍ମୟ ସାହୁ ପୁଣି ୧୦ ଦିନ ସମୟ ମାଗିଥିଲେ। କିନ୍ତୁ ଆଜି ପୁଣି ଯୋଗାଯୋଗ କରିବାରୁ “ଆଉ କିଛି ସମୟ ଲାଗିବ” ବୋଲି କୁହାଯାଇଥିବାରୁ ଚାଷୀ ପରିବାରର ଧୈର୍ଯ୍ୟ ଭାଙ୍ଗିପଡ଼ିଛି।
ପ୍ରତାପ ବରାଳଙ୍କ କଣ୍ଠରେ ଏବେ କେବଳ ଯନ୍ତ୍ରଣା ମୁଁ ସରକାରଙ୍କୁ ଧାନ ଦେଇ କଣ ଭୁଲ କରିଥିଲି? ନିଜ ପରିଶ୍ରମର ଟଙ୍କା ପାଇଁ ଏତେ ଅପମାନ ସହିବାକୁ ପଡ଼ିବ ବୋଲି କେବେ ଭାବିନଥିଲି…”
ନିକଟରେ ଓଡ଼ିଶାରେ ବ୍ୟାଙ୍କରୁ ଟଙ୍କା ନମିଳିବାରୁ ଜଣେ ଭଉଣୀଙ୍କ ମୃତଦେହ ନେଇ ହଇରାଣ ହେବା ଘଟଣା ସମଗ୍ର ରାଜ୍ୟକୁ ହଲାଇ ଦେଇଥିଲା। ଏବେ ପ୍ରତାପ ବରାଳଙ୍କ ଘଟଣା ମଧ୍ୟ ସରକାରୀ ବ୍ୟବସ୍ଥାର ଧୀର ଗତି ଓ ଅବହେଳା ଉପରେ ବଡ଼ ପ୍ରଶ୍ନ ଉଠାଇଛି।
ସମୟ ଥିବାବେଳେ ସରକାର ଓ ପ୍ରଶାସନ ଏଭଳି ହତାଶ ଚାଷୀଙ୍କ ମାନସିକ ସ୍ଥିତିକୁ ବୁଝିବା ଆବଶ୍ୟକତା ରହିଛି। କାରଣ ଦୀର୍ଘଦିନ ଧରି ଅନ୍ୟାୟ, ଅବହେଳା ଓ ଅପେକ୍ଷା ଜଣେ ସାଧାରଣ ମଣିଷକୁ କେତେ ଭୟଙ୍କର ପଦକ୍ଷେପ ନେବାକୁ ବାଧ୍ୟ କରିପାରେ, ତାହା ଗତ କିଛି ଘଟଣା ଆଗରୁ ସତର୍କ ସଙ୍କେତ ଦେଇସାରିଛି।
ପ୍ରତାପ ବରାଳ ଚେତାବନୀ ଦେଇଛନ୍ତି ଯେ, ଯଦି ଆଗାମୀ ୨-୩ ଦିନ ମଧ୍ୟରେ ତାଙ୍କ ଧାନ ବିକ୍ରୟ ରାଶି ମିଳିନାହିଁ, ତେବେ ସେ ପୁରା ପରିବାର ସହ ଭୁବନେଶ୍ୱର ଯାଇ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସମ୍ବନ୍ଧିତ ବିଭାଗ ସାମ୍ନାରେ ଧାରଣା ଦେବେ।
ଏବେ ଦେଖିବାକୁ ବାକି ରହିଲା ଜଣେ ଗରିବ ଚାଷୀର ଲୁହ ସରକାରୀ ବ୍ୟବସ୍ଥାକୁ କେବେ ଛୁଇଁବ?
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ