
ଜୟପୁର, ୧୩ ମେ (ହି.ସ.) - ସଂସଦରେ ଆଗତ ନାରୀ ବନ୍ଦନା ଅଧିନିୟମକୁ ବିରୋଧୀ ଦଳର ବିରୋଧକୁ ନେଇ ଦେଶବ୍ୟାପୀ ମହିଳାଙ୍କ ଜନ ଆକ୍ରୋଶ ପ୍ରକାଶ ପାଉଛି। ଏହି କ୍ରମରେ ବିଜେପି ଜୟପୁର ମଣ୍ଡଳ ପକ୍ଷରୁ ଆଜି ଏକ ମହିଳା ପଦଯାତ୍ରା ଆୟୋଜିତ ହୋଇଛି।ଶତାଧିକ ମହିଳା ଏହି ପଦଯାତ୍ରାରେ ସାମିଲ ହୋଇ ରଘୁନାଥ ମନ୍ଦିର ଛକ ଠାରୁ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ନାରାବାଜି କରାଯାଇଥିଲା। ସହରର ମୁଖ୍ୟ ଟ୍ରାଫିକ୍ ଛକରେ ଆୟୋଜିତ ସଭାରେ ମହିଳାମାନେ ବ୍ୟାପକ ସଂଖ୍ୟାରେ ଉପସ୍ଥିତ ଥିଲେ।ସଭାରେ ବକ୍ତାମାନେ କହିଛନ୍ତି, “ମହିଳା ଆରକ୍ଷଣ ବିଲକୁ ବିରୋଧ କରିବା ନିମ୍ନ ମାନସିକତାର ପରିଚୟ। ଏହା ମହିଳାଙ୍କ ଅଧିକାରକୁ ସଂକୁଚିତ କରୁଛି। ଯେଉଁମାନେ ଏହି ବିଲ୍ ପାରିତ ହେବାରେ ବାଧା ସୃଷ୍ଟି କରୁଛନ୍ତି, ସେମାନେ ମହିଳା ବିରୋଧୀ।” ଜିଲ୍ଲା ମହିଳା ମୋର୍ଚ୍ଚା ନେତୃତ୍ୱ ଓ ବିଜେପି ମହିଳା କର୍ମୀମାନେ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେମାନେ କହିଛନ୍ତି ଯେ, ନାରୀ ବନ୍ଦନା ଅଧିନିୟମକୁ ବିରୋଧ କରୁଥିବା ନେତାମାନଙ୍କୁ ଆଗାମୀ ଦିନରେ ମହିଳାମାନେ ନିଶ୍ଚୟ ଉଚିତ୍ ଜବାବ ଦେବେ। ଏହି ଜନ ଆକ୍ରୋଶ ପଦଯାତ୍ରା ଓ ସଭା ମାଧ୍ୟମରେ ବିଜେପି ମହିଳାମାନେ ନାରୀ ସଶକ୍ତିକରଣ ଓ ମହିଳା ସଂରକ୍ଷଣ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବା ସହ ବିରୋଧୀଙ୍କ ବିରୋଧରେ ତୀବ୍ର ପ୍ରତିବାଦ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି