
ଖୋର୍ଦ୍ଧା, ୧୩ ମଇ(ହି.ସ.) – ସଚ୍ଚି ରାଉତରାୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀ ତାଙ୍କ ଜନ୍ମସ୍ଥାନ ଗୁରୁଜଙ୍ଗ ଦେୱାନ ସାହିରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସଂସଦର ଉପସଭାପତି ତଥା କବୟିତ୍ରୀ ଆରତୀ ମଞ୍ଜରୀ ଦାଶ ଓ ଅବସରପ୍ରାପ୍ତ ଅଧ୍ୟାପିକା ଶୁଭଦର୍ଶିନି ଦେବୀଙ୍କ ପରିଚାଳନା କ୍ରମେ ଏକ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଖୋରଧା ଓ ଗୁରୁଜଙ୍ଗର କବିମାନେ ଅଂଶଗ୍ରହଣ କରି କବିତା ମାଧ୍ୟମରେ ମାଟିର ମହାକବି ସଚ୍ଚି ରାଉତରାୟଙ୍କ ଶବ୍ଦାଞ୍ଜଳି ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକା ତଥା ସଂସଦର ସଭାପତି ଶ୍ୱେତ ପଦ୍ମାସିନି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାହିତ୍ୟ ସଂସଦର ମୁଖପତ୍ର ‘ଶତଦଳ' ଉନ୍ମୋଚିତ ହୋଇଥିଲା।
ଏତଦ୍ ବ୍ୟତୀତ କବି ନାରାୟଣ ଦାସଙ୍କ କବିତା ପୁସ୍ତକ ‘କାଶତଣ୍ଡି -୪' ବରେଣ୍ୟ ଅତିଥିମାନଙ୍କ କର କମଳରେ ଲୋକାର୍ପିତ ହୋଇଥିଲା। ଏହି ସାରସ୍ୱତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ସତ୍ୟବାଦୀ ବଳିଆରସିଂ ସ୍ୱାଧୀନତା ସଂଗ୍ରାମରେ କବିଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ତଥା ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଡ. ସସ୍ମିତା ପଟ୍ଟନାୟକ ସଚ୍ଚି ରାଉତରାୟଙ୍କ ଉପନ୍ୟାସ ‘ଚିତ୍ରଗ୍ରିବ' ଠାରୁ ଆରମ୍ଭ କରି ତାଙ୍କ ଗଳ୍ପ ସାମ୍ରାଜ୍ୟ ଓ କବିତାକାଶର ସ୍ୱତନ୍ତ୍ର ବିଭବ ସମ୍ପର୍କରେ ଅବତାରଣା କରି ଓଡ଼ିଆ ସାହିତ୍ୟରେ ପ୍ରାକ୍ ଶାରଳା ଯୁଗ ଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ବ୍ୟାପ୍ତ କାବ୍ୟାଦର୍ଶର ସଂକ୍ଷିପ୍ତ ଚିତ୍ର ଉପସ୍ଥାପନ କରିଥିଲେ। ସଭାର ମୁଖ୍ୟଅତିଥି ତଥା ଖୋରଧା ସାହିତ୍ୟ ସଂସଦର ପୂର୍ବତନ ସଭାପତି ବୈକୁଣ୍ଠ ନାଥ ରାଜଗୁରୁ ସଚ୍ଚି ରାଉତରାୟଙ୍କ ନାମରେ ନାମିତ ଏହି ଅନୁଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟ କାମନା କରିବା ସହ କବିଙ୍କ ରାଜନୈତିକ ଜୀବନ ଓ ପଲ୍ଲୀ ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଐତିହାସିକ ତଥା ପ୍ରାକ୍ତନ ପ୍ରାଧ୍ୟାପକ ଗୋପାଳ କୃଷ୍ଣ ଦାସ ତାଙ୍କ ଅଭିଭାଷଣରେ ସଚ୍ଚି ରାଉତରାୟଙ୍କ ଗଳ୍ପରେ କୈଶୋର ଜୀବନର ପ୍ରେମ ଓ ଅନ୍ୟାନ୍ୟ ଭାବଧାରା ବିଷୟରେ କହିଥିଲେ। କବିଙ୍କ ସାହିତ୍ୟ କିପରି ଅଧିକ ଜନାଦୃତ ହୋଇପାରିବ ଓ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ସଚ୍ଚି ରାଉତରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି ସ୍ଥାପନ ନେଇ ତତ୍ପରତା ପ୍ରକାଶ କରିବାକୁ ଉପସ୍ଥିତ ସଚ୍ଚି ରାଉତରାୟ ପ୍ରେମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଉତ୍ସବରେ ଗୁରୁଜଙ୍ଗର ସାରସ୍ୱତ ସାଧକ ସ୍ୱର୍ଗତ ପଣ୍ଡିତ ହରିକୃଷ୍ଣ ପ୍ରଧାନ, ବାଇଧର ମହାପାତ୍ର ଓ ଅକ୍ଷୟ ସାହୁଙ୍କୁ ମରଣୋତର ‘ଶତଦଳ ସମ୍ମାନ’ ଓ ଉତରୀୟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାର୍ଷିକ ବିବରଣୀ ପାଠ କରିଥିଲେ ସମ୍ପାଦକ ଭବାନୀ ପ୍ରସାଦ କର ଓ ଧନ୍ୟବାଦ ଅର୍ପଣ କରିଥିଲେ ସଂଗଠନ ସମ୍ପାଦକ ସନ୍ତୋଷ କୁମାର ସାହୁ। କବିଙ୍କ ସ୍ମୃତିଚାରଣ କରିବାକୁ ଯାଇ ଉପସଭାପତି ଆରତୀ ମଞ୍ଜରୀ ଦାଶ ତାଙ୍କ ସୁପ୍ରସିଦ୍ଧ ବାଜିରାଉତ କବିତା ଆଲୋଚନା କରିଥିଲେ। ସଚ୍ଚି ସାହିତ୍ୟପ୍ରେମୀମାନଙ୍କ ଉପସ୍ଥିତିରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକ, ସ୍ତମ୍ବକାର ତଥା ଆଧ୍ୟାପକ ତୁଷାର ରଞ୍ଜନ ପାଲଟାସିଂ ଓ ପ୍ରଫୁଲ୍ଲ ସାମନ୍ତରା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ସଭ୍ୟ ତଥା ସମାଜସେବୀ ଜୟନ୍ତ ମହାନ୍ତି, ଅନୁପମ ମହାନ୍ତି, ଚିତ୍ରଶିଳ୍ପୀ ତଥା କବି ଶ୍ରୀକାନ୍ତ ପାଣିଗ୍ରାହୀ ଓ ବିଭୂତି ସେନାପତି। ସଭା ସଂଯୋଜନା କରିଥିଲେ କବୟିତ୍ରୀ ଯଶସ୍ୱିନୀ ସାହୁ। ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗଦେଇ ସଚ୍ଚି ରାଉତରାୟଙ୍କ ବିପ୍ଲବୀ କବିତା ବାଜିରାଉତ’ ଠାରୁ ଆରମ୍ଭ କରି ଛୋଟ ମୋର ଗାଁଟି’ ଉପରେ ଆଲୋଚନାରେ ଭାଗ ନେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ