
ମାଲକାନଗିରି , ୧୩ ମଇ (ହି.ସ.)-ଦେଶର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ -ୟୁଜି ୨୦୨୬ ରେ ପ୍ରାୟ ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ, ସେହି ଲକ୍ଷ ଲକ୍ଷ ସ୍ୱପ୍ନ ଭିତରେ ମାଲକାନଗିରି ଜିଲ୍ଲାର କାଲିମେଳା,ମାଥିଲି, ଖଇରପୁଟ, କୋରୁକୋଣ୍ଡା ଏମଭି–୭୯, ପଡିଆ, ଚିତ୍ରକୋଣ୍ଡା ଭଳି ସୀମାନ୍ତ ଓ ଅନୁନ୍ନତ ଅଞ୍ଚଳର ଅନେକ ଗରିବ ପରିବାରର ପିଲାମାନଙ୍କ ଆଶା ମଧ୍ୟ ଜଡିତ ରହିଛି। କିନ୍ତୁ ଦେଶ ସାରା ଚର୍ଚ୍ଚାରେ ଥିବା ନିଟ -୨୦୨୬ ବିବାଦ ଏବେ ଏହି ଅଞ୍ଚଳର ଅନେକ ପରିବାରର ସ୍ୱପ୍ନକୁ ଭାଙ୍ଗିଦେଇଛି।
ମଇ ୩ ତାରିଖରେ ହୋଇଥିବା ନିଟ ୟୁଜି 2026 ପରୀକ୍ଷାକୁ ପେପର ଲିକ୍ ଅଭିଯୋଗ ପରେ ଜାତୀୟ ପରୀକ୍ଷା ଏଜେନ୍ସି ବାତିଲ୍ କରିଦେଇଥିବାବେଳେ, ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ପୁନଃ ପରୀକ୍ଷା କରାଯିବ ବୋଲି ଘୋଷଣା ହେବା ପରେ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭଳି ମାଲକାନଗିରିର ଛାତ୍ରମାନେ ମଧ୍ୟ ଭୟ, ଅନିଶ୍ଚିତତା ଓ ମାନସିକ ଚାପ ଭିତରେ ରହିଛନ୍ତି।
ତଦନ୍ତକାରୀ ସଂସ୍ଥାଙ୍କ ପ୍ରାଥମିକ ତଥ୍ୟ ଅନୁଯାୟୀ, କେତେକ ରାଜ୍ୟରେ “ଗେସ୍ ପେପର” ନାଁରେ ପ୍ରଶ୍ନପତ୍ର ଲକ୍ଷାଧିକ ଟଙ୍କାରେ ବିକ୍ରି ହୋଇଥିବା ଅଭିଯୋଗ ଆସିଛି। ରାଜସ୍ଥାନ ସହ ଅନେକ ରାଜ୍ୟରେ ଏହି ଚକ୍ର ସକ୍ରିୟ ଥିବା ସନ୍ଦେହ କରାଯାଉଛି।
ମାଲକାନଗିରିର ଦୁର୍ଗମ ଗାଁରୁ ଭୁବନେଶ୍ୱର, କୋଟା, ଭାଇଜାଗ କିମ୍ବା ରାୟପୁର ଭଳି ସହରକୁ ଯାଇ ପଢ଼ୁଥିବା ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ସଂଘର୍ଷରେ ଭରିଥାଏ। କାହାର ବାପା ଦିନମଜୁର, କାହାର ଚାଷୀ, ଆଉ କିଏ ଛୋଟ ଦୋକାନ କରି ପରିବାର ଚଳାଉଛନ୍ତି। ତଥାପି ପିଲାଙ୍କୁ ଡାକ୍ତର କରିବାର ସ୍ୱପ୍ନ ନେଇ ଅଭିଭାବକମାନେ ଋଣ କରୁଛନ୍ତି, ଜମି ବିକ୍ରି କରୁଛନ୍ତି, ସୁନା ଗହଣା ବନ୍ଧକ ରଖୁଛନ୍ତି।
ଏମଭି–୭୯ର ଜଣେ ଛାତ୍ରଙ୍କ ବାପା ଆଖିରେ ଲୁହ ନେଇ କହିଛନ୍ତି, “ଆମ ଘରେ ଅଭାବ ଅଛି, କିନ୍ତୁ ପୁଅ ଡାକ୍ତର ହେବ ବୋଲି ଆମେ ସବୁ କଷ୍ଟ ସହୁଛୁ। ସେ ଭୁବନେଶ୍ୱରରେ ରହି ରାତିଦିନ ପଢ଼ୁଛି। ଏବେ ପରୀକ୍ଷା ବାତିଲ୍ ହେବା ପରେ ସେ ପୁରା ଭାଙ୍ଗିପଡ଼ିଛି। ଆମେ ଗରିବ ଲୋକ, ପୁଣିଥରେ ସବୁ ଆରମ୍ଭ କରିବା କେତେ କଷ୍ଟ ସେ କଥା କେହି ବୁଝିପାରିବେ ନାହିଁ।”
ଭୁବନେଶ୍ୱରର କୋଚିଂ ହଷ୍ଟେଲରେ ରହୁଥିବା ମାଲକାନଗିରିର ଅନେକ ଛାତ୍ର ଏବେ ମାନସିକ ଚାପ ଭିତରେ ଦିନ କାଟୁଛନ୍ତି। କେହି ଗୋଟିଏ ବେଳା ଖାଇ ଟଙ୍କା ବଞ୍ଚାଉଛନ୍ତି, କେହି ପୁରୁଣା ପୁସ୍ତକ କିଣି ପଢ଼ୁଛନ୍ତି, ଆଉ କେହି ପର୍ବପର୍ବାଣୀରେ ମଧ୍ୟ ଘରକୁ ଫେରୁନାହାନ୍ତି। ସେମାନଙ୍କ ଜୀବନରେ କେବଳ ଗୋଟିଏ ଆଶା — “ଭଲ ରାଙ୍କ ଆସୁ, ଘରର ଦାରିଦ୍ର୍ୟ ଦୂର ହେଉ।”
କିନ୍ତୁ ଯେତେବେଳେ ପରୀକ୍ଷା ବାତିଲ୍ ହେବା ଖବର ଆସିଲା, ଅନେକ ଛାତ୍ର ଭିତରୁ ଭାଙ୍ଗିପଡ଼ିଛନ୍ତି। କେହି ରାତିରେ ଶୋଇପାରୁନାହାନ୍ତି, କେହି ଚୁପଚାପ କାନ୍ଦୁଛନ୍ତି, ଆଉ କେହି କହୁଛନ୍ତି — “ଯଦି ସିଷ୍ଟମ୍ ଉପରେ ଭରସା ନ ରହିବ, ତେବେ ଆମ ପରିଶ୍ରମର ମୂଲ୍ୟ କଣ?”
ଶିକ୍ଷାବିତ ମାନଙ୍କ ମତରେ, ଗରିବ ଓ ପଛୁଆ ଅଞ୍ଚଳର ଛାତ୍ରମାନଙ୍କ ପାଇଁ ନିଟ କିମ୍ବା ଜେଇ କେବଳ ଗୋଟିଏ ପରୀକ୍ଷା ନୁହେଁ, ଏହା ସମଗ୍ର ପରିବାରର ଭାଗ୍ୟ ବଦଳାଇବାର ଶେଷ ଆଶା। ସେହିପାଇଁ ପରୀକ୍ଷାରେ ଅବ୍ୟବସ୍ଥା କିମ୍ବା ଅନିୟମିତତା କେବଳ ଜଣେ ଛାତ୍ରଙ୍କୁ ନୁହେଁ, ସମଗ୍ର ପରିବାରକୁ ଭିତରୁ ଭାଙ୍ଗିଦେଉଛି।
ସାମାଜିକ କର୍ମୀମାନେ କହୁଛନ୍ତି, ସରକାର ଏବେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ପେପର ସୁରକ୍ଷାକୁ ଆହୁରି କଡାକଡି କରିବା, ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ବଢ଼ାଇବା, ଟେକ୍ନିକାଲ ତ୍ରୁଟି ରୋକିବା ଓ ଦୋଷୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ସମୟର ଦାବି। ଏହା ସହ ମାନସିକ ଚାପରେ ଥିବା ଛାତ୍ରମାନଙ୍କ ପାଇଁ କାଉନ୍ସେଲିଂ ଓ ସହାୟତା ବ୍ୟବସ୍ଥା ମଧ୍ୟ ଜରୁରୀ ବୋଲି ସେମାନେ କହିଛନ୍ତି।
କାରଣ ଏହି ପିଲାମାନେ କେବଳ ନିଜ ପାଇଁ ଲଢ଼ୁନାହାନ୍ତି। ସେମାନେ ଲଢ଼ୁଛନ୍ତି ନିଜ ମାଆବାପାଙ୍କ ଆଖିର ସ୍ୱପ୍ନ ପାଇଁ, ନିଜ ଗାଁର ଭବିଷ୍ୟତ ପାଇଁ ଓ ଏହି ଭରସା ପାଇଁ ଯେ, ଶିକ୍ଷା ହିଁ ସେମାନଙ୍କ ଜୀବନ ବଦଳାଇପାରିବ। କିନ୍ତୁ ଯେତେବେଳେ ସେହି ବ୍ୟବସ୍ଥା ଉପରୁ ଭରସା ଭାଙ୍ଗିଯାଏ, ସେତେବେଳେ କେବଳ ଗୋଟିଏ ପରୀକ୍ଷା ନୁହେଁ — ସମଗ୍ର ଗୋଟିଏ ପିଢ଼ିର ସ୍ୱପ୍ନ ଭାଙ୍ଗିବାକୁ ଲାଗେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ