
ଖୋର୍ଦ୍ଧା, ୧୩ ମଇ(ହି.ସ.) – ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଷ୍ଟାଦଶ ତମ ଶେଷବର୍ଷ ସ୍ନାତକ ପାଠ୍ୟକ୍ରମର କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କ ମୋଟ୍ ପାସ୍ ହାର ଶତକଡ଼ା ୯୦.୦୬ ପ୍ରତିଶତ ରହିଛି। ଚଳିତ ବର୍ଷ ଛାତ୍ରଙ୍କ ଠାରୁ ଛାତ୍ରୀମାନେ ଆଗରେ ଅଛନ୍ତ। ଚଳିତ ବର୍ଷ ଛାତ୍ରୀମାନଙ୍କ ପାସ୍ ହାର ୯୨.୮୪ ପ୍ରତିଶତ ରହିଥିବାବେଳେ ଛାତ୍ରମାନଙ୍କ ପାସ୍ ହାର ୮୬.୫୭ ପ୍ରତିଶତ ରହିଛି। କଳା ବିଭାଗରେ ପାସ୍ ହାର ୯୦.୨୦ ପ୍ରତିଶତ ଏବଂ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପାସ୍ ହାର ଯଥାକ୍ରମେ ୯୪.୯୩ ଓ ୮୩.୩୯ ପ୍ରତିଶତ ରହିଛି। ବାଣିଜ୍ୟ ବିଭାଗରୁ ଛାତ୍ରୀ ଦିଶା ଅଗ୍ରୱାଲ, କଳା ବିଭାଗରୁ ମନୋବିଜ୍ଞାନ ସମ୍ମାନର ଛାତ୍ର କିରଣ କୁମାର ପ୍ରଧାନ ଓ ବିଜ୍ଞାନ ବିଭାଗରୁ କମ୍ପ୍ୟୁଟର ବିଜ୍ଞାନ ସମ୍ମାନର ଛାତ୍ରୀ ସୁଶ୍ରୀ ମୋନାଲିସା ବେହେରା ଶ୍ରେଷ୍ଠ ସ୍ନାତକ ହୋଇଛନ୍ତି। ଏହି ଛାତ୍ରଛାତ୍ରୀମାନଙ୍କୁ ଚଳିତ ବର୍ଷ ମହାବିଦ୍ୟାଳୟର ସାମ୍ବତ୍ସରିକ ଉତ୍ସବ-୨୦୨୭ରେ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ସେହିପରି କମ୍ପ୍ୟୁଟର ବିଜ୍ଞାନ ବିଭାଗ ସମ୍ମାନର ଛାତ୍ରୀ ମୋନାଲସା ବେହେରା ସର୍ବୋଚ୍ଚ ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଅନ୍ତିମ ପରୀକ୍ଷା ଫଳ ଛଅଟି ସେମିଷ୍ଟାର ପରୀକ୍ଷାର ମୋଟ ଫଳାଫଳକୁ ନେଇ ପ୍ରସ୍ତୁତ କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପିକା ଡକ୍ଟର ନନ୍ଦିତା ଛୋଟରାୟ କହିଛନ୍ତି। ଉକ୍ତ ଫଳାଫଳ ପ୍ରକାଶନ ସଭାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମୁଖ୍ୟ ଉପଦେଷ୍ଟା ପ୍ରାକ୍ତନ କୁଳପତି, ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ। ଅଧ୍ୟକ୍ଷା ଡକ୍ଟର ପୂର୍ଣ୍ଣିମା ନାୟକ ସ୍ୱାଗତଭାଷଣ, ଡ. ପ୍ରଦୀପ୍ତ ମହାପାତ୍ର ସଂଯୋଜନା କରିଥିବାବେଳେ ପ୍ରାଧ୍ୟାପକ ସୌମେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପରୀକ୍ଷା ବିଭାଗର ସମସ୍ତ ସଦସ୍ୟ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ