
କେନ୍ଦ୍ରାପଡ଼ା, ୧୩ ମଇ(ହି.ସ.) – ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରତିବାଦରେ ଦେଶ ତଥା ରାଜ୍ୟରେ ନିଆଁ ଜଳୁଛି। ରାଜ୍ୟରେ ବିଜୁ ଜନତା ଦଳ ଏହାର ତୀବ୍ର ପ୍ରତିବାଦ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ନେତୃତ୍ୱରେ ଏହି ଘଟଣାର ତୀବ୍ର ପ୍ରତିବାଦ କରାଯାଇଛି। ଶହ ଶହ ବିଜେଡ଼ି କର୍ମୀ କେନ୍ଦ୍ରାପଡ଼ା ସହରସ୍ଥ ପୁରୁଣା ମଟରଷ୍ଟାଣ୍ଡ ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ କରାଯାଇଛି। ଶ୍ରୀ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ପ୍ରଶ୍ନ ପତ୍ର ପ୍ରଘଟ ହେବା ଏକ ନିତିଦିନିଆ ହୋଇଗଲାଣି। ଏହାଦ୍ୱାରା ଲକ୍ଷ ଲକ୍ଷ ମେଧାବୀ ପିଲାଙ୍କ ଜୀବନ ଅନ୍ଧକାରକୁ ଯାଉଛି। ବିଭାଗୀୟ କର୍ତୃପକ୍ଷଙ୍କ ଅସାବଧାନତା ତଥା ଏଥିରେ ସେମାନଙ୍କ ସଂପୃକ୍ତି ଥିବାରୁ ଏପରି ଅଭାବନୀୟ ଘଟଣା ଘଟୁଛି। ଏହି ଅସାଧୁ କାର୍ଯ୍ୟ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ପୁର୍ଣ୍ଣ ରୂପେ ଦାୟୀ ବୋଲି ବିଜେଡି ନେତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ। ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲାପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ନଗରପାଳ ସରିତା ସାହୁ, ଜିଲ୍ଲା ବିଜେଡି ସଭାପତି ଶିବ ପ୍ରସାଦ ଭଳ, ରୋସନା ସାହୁ, ରଞ୍ଜିତ ସାହୁ, ପୌରସଭ୍ୟ ଉମେଶ ନାୟକ, କାଳୀପ୍ରସାଦ ମିଶ୍ର, ପ୍ରଦୀପ ଜେନା, ସେକ ଆସଲମ, ଚୌଧୁରୀ ସୁକୁମାର ଦାସ, ନିରାକାର ସ୍ୱାଇଁ, ରମେଶ ଦାସ, ହିରଣ୍ୟ ପଣ୍ଡା, ସେକ ଚନ୍ଦନ, ପ୍ରଦୀପ ନାୟକ, ସେକ ନସିମୁଦ୍ଦିନ, ମୁକ୍ତାର ଖାନ, ଲୋହିତ ମହାନ୍ତି, ପରଭେଜ ଅକ୍ତର, ଲେଲିନ ସ୍ୱାଇଁ, ଜ୍ଞାନରଞ୍ଜନ ଜେନା, କମଲ ପ୍ରସାଦ ହରିଚନ୍ଦନ, ସୁମନ୍ତ ରାଉତ, ମହେନ୍ଦ୍ର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି