
ଭୁବନେଶ୍ୱର, ୧୩ ମଇ (ହି.ସ.)- ଓଡିଶା ସଚିବାଳୟ କର୍ମଚାରୀ କ୍ରିଡା ସଂଘ ଆନୁକୂଲ୍ୟରେ ଲୋକସେବା ଭବନ ପରିସରରେ “ତୃତୀୟ କେ ଏନ ଭଲିବଲ ଲିଗ-୨୦୨୬ ଉଦଘାଟିତ ହୋଇଛି । ଉଦଘାଟନୀ ଅବସରରେ ଓଡିଶା ଭଲିବଲ ଦଳର ପୂର୍ବତନ କୋଚ ଅମୂଲ୍ୟ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ କ୍ରୀଡାସ୍ପୃହା, ଶୃଙ୍ଖଳା ଓ ଦଳୀୟ ମନୋଭାବ ସହ ଖେଳିବା ପାଇଁ ପ୍ରେରଣା ଦେଇଥିଲେ । ସେହିପରି କେ ଏନ ଗୃପର ନିର୍ଦ୍ଦେଶକ ନିରଞ୍ଜନ ସ୍ୱାଇଁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କ୍ରୀଡା ମାଧ୍ୟମରେ ସାମୂହିକ ସମ୍ପର୍କ ଓ ସ୍ୱାସ୍ଥ୍ୟଚେତନା ବୃଦ୍ଧି ପାଉଥିବା କଥା କହିଥିଲେ।
ଏହି ଲିଗରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିଥିବାରୁ ପ୍ରତିଯୋଗିତାଟି ଅଧିକ ଆକର୍ଷଣୀୟ ହୋଇପଡ଼ିଥିଲା । ପ୍ରଥମ ମ୍ୟାଟ୍ ରେ “ସେକ୍ରେଟାରିୟଟ ଆଟ୍ଟାକର” ଓ “ସେକ୍ରେଟାରିୟଟ ସ୍ପାଇକର” ମଧ୍ୟରେ ହୋଇଥିବା ରୋମାଞ୍ଚକର ମୁକାବିଲା ଦର୍ଶକମାନଙ୍କୁ ମନୋମୁଗ୍ଧ କରିଥିଲା । ମ୍ୟାନ୍ ଅଫ ଦି ମ୍ୟାଚ୍ ନାରାୟଣ ବଡଜେନାଙ୍କ ଅସାଧାରଣ ପ୍ରଦର୍ଶନ ବଳରେ “ସେକ୍ରେଟାରିୟଟ ଆଟ୍ଟାକର” ଦଳ ୨–୧ ବ୍ୟବଧାନରେ ବିଜୟୀ ହୋଇଥିଲା । ତାଙ୍କର ଦ୍ରୁତ ଆକ୍ରମଣ, ଚମତ୍କାର ପାଶ ଓ ସୁଦୃଢ଼ ରକ୍ଷଣ ଖେଳ ପ୍ରଶଂସା କୁଢ଼ିଥିଲା।
ଦ୍ୱିତୀୟ ମ୍ୟାଟ୍ ରେ “ସେକ୍ରେଟାରିୟଟ କ୍ୟାରିୟର” ଓ “ସେକ୍ରେଟାରିୟଟ ଡୋମିନେଟର ମଧ୍ୟରେ ହୋଇଥିଲା । ମ୍ୟାଟ୍ ରେ ରଞ୍ଜନ ମେହେରଙ୍କ ଉତ୍?କୃଷ୍ଟ ଖେଳ ପ୍ରଦର୍ଶନ ଦଳକୁ ସହଜ ବିଜୟ ଦେଇଥିଲା । ସେ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ସମ୍ମାନିତ ହୋଇଥିବାବେଳେ “ସେକ୍ରେଟାରିୟଟ ୱାରିୟର ଦଳ ୨-୦ ବ୍ୟବଧାନରେ ବିଜୟ ହାସଲ କରିଥିଲା ।
ପ୍ରତିଯୋଗିତାକୁ ଜାତୀୟ ଭଲିବଲ ରେଫେରୀ ହିମାଂଶୁ ଦାସ, ରାମଚନ୍ଦ୍ର ସେଠୀ, ଲକ୍ଷ୍ମୀନାରାୟଣ ମହାନ୍ତି ଓ ରମାକାନ୍ତ ପଟ୍ଟନାୟକ ସୁଚାରୁ ରୂପେ ପରିଚାଳନା କରିଥିଲେ । ଶ୍ରୀ ନିର୍ମଳ ନାୟକ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଓଡିଶା ସଚିବାଳୟ କର୍ମଚାରୀ କ୍ରୀଡା ସଂଘର ସମସ୍ତ କର୍ମକର୍ତା ଓ ସଦସ୍ୟମାନେ ସମସ୍ତ ଦଳର ସଫଳତା କାମନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା