
ଭୁବନେଶ୍ୱର, ୧୩ ମଇ (ହି.ସ.)- ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଆସନ୍ତା ମେ ୨୦ ତାରିଖରେ ଓଡ଼ିଶାର କୋଣ ଅନୁକୋଣରେ ଥିବା ୩୦୦୦୦ରୁ ଅଧିକ ଔଷଧ ଦୋକାନ ବନ୍ଦ ରହିବ। ୟୁସିଡ଼ିଏର ସଭାପତି ପି ସତ୍ୟନାରାୟଣ ଏବଂ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାପାତ୍ର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ସେମାନେ କହିଛନ୍ତି ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ ନିୟମ ଅନୁଯାୟୀ ଅନଲାଇନରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ ନହିଁ। କୋଭିଡ଼ ସମୟରେ ପରିସ୍ଥିତିକୁ ନଜରରେ ରଖି ଭାରତ ସରକାର ଜରୁରୀ ବିଜ୍ଞପ୍ତି ମାଧ୍ୟମରେ ଔଷଧ ଅନଲାଇନରେ ଦେବା ପାଇଁ ଅନୁମତି ପ୍ରଦାନ କରିଥିଲେ। ହେଲେ ଆଜି ସ୍ଥିତି ସୁଧୁରିଯିବା ପରେ ମଧ୍ୟ ତାହାକୁ ପ୍ରତ୍ୟାହାର କରିନାହାଁନ୍ତି ଯାହାକି ଆମର ୩୦୦୦୦ ସଭ୍ୟଙ୍କ ବ୍ୟାପରରେ ବ୍ୟାଘାତ ହେବା ସହିତ ୨.୫ ଲକ୍ଷ ପରିବାରଙ୍କ ଚିନ୍ତାର କାରଣ ପାଲଟିଛି। ଅନେକ ଆପତିଜନକ ଔଷଧ ଯାହା ବିନା ଡାକ୍ତରୀ ଚିଠାରେ ବିକ୍ରି ହେବା କଥା ନୁହେଁ, ତାହା ଆଜି ସହଜ ଭାବରେ ଉପଲବ୍ଧ ହେଉଛି। ଅନେକ ନିଶା ବଟିକା ଅନଲାଇନରେ ଅତି ସହଜରେ ମିଳୁଛି, ଯାହା ଯୁବପିଢିଙ୍କୁ ବିପଥଗାମୀ କରୁଛି। ଔଷଧ ବ୍ୟବସାୟର ଲାଭାଂଶ ଓ ଏମ୍.ଆର.ପି. ଯାହା ସରକାରଙ୍କ ଦ୍ୱାରା ସ୍ଥିରୀକୃତ (ଏନ୍ପିପିଏ / ଡିପିସିଓ) ହୋଇଥାଏ ତା’ଠାରୁ ଅତି ଅଧିକ ମାତ୍ରାରେ ରିହାତିରେ ଔଷଧ ଅନଲାଇନରେ ମିଳୁଛି, ଯାହା ସାଧାରଣ ବ୍ୟବସାୟୀଙ୍କୁ ଅନେକ କ୍ଷତି ପହଂଚାଉଛି।ତେଣୁ ଆମର ଦାବି କୋଭିଡ଼ ସମୟ ଜରୁରୀ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରାଯାଉ ଓ ଅନଲାଇନ ଔଷଧ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ଅତ୍ୟଧିକ ରିହାତି ପ୍ରଦାନକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ।
ଯଦି ଅନଲାଇନ ଔଷଧ ବିକ୍ରି ବନ୍ଦ କରାନଯାଏ, ତେବେ ଆସନ୍ତା ମେ ୨୦ ତାରିଖରେ ଓଡ଼ିଶା ସମେତ ଭାରତର ସମସ୍ତ ଔଷଧ ବ୍ୟବସାୟୀ ତାଙ୍କର ଦୋକାନ ବନ୍ଦ ରଖିବେ। ଏଥିପାଇଁ ଯଦି କୌଣସି ଅଘଟଣ ବା ଦୁର୍ଘଟଣା ଘଟେ ତେବେ ସେଥିପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ। ଆଗାମୀ ଭବିଷ୍ୟତରେ ଯଦି ଏ ପରିସ୍ଥିତିର କୌଣସି ସମାଧାନ ନହୁଏ, ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ଏହା ୟୁ.ସି.ଡି.ଏ ଏବଂ ସର୍ବଭାରତୀୟ ସଂଘ (ଏ.ଆଇ.ଓ.ସି.ଡି.)ର ଚରମ ନିଷ୍ପତି ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା