
ଭୁବନେଶ୍ୱର, ୧୩ ମଇ (ହି.ସ.)- ନିଟ ପରୀକ୍ଷା ୨୦୨୬ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି ଜଣାଇଛି ରାଜ୍ୟ ଯୁବ କଂଗ୍ରେସ। ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଦିପ ସାମଲ ଜଣାଇଛନ୍ତି ଯେ ଏ ସରକାର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ସହ ଖେଳିବାକୁ ଯାଇ ପ୍ରଶ୍ନପତ୍ର ଚୋରି କରି ଦେଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। କଂଗ୍ରେସକୁ ଦୁର୍ନୀତି ଖୋର କହି ଆସୁଥିବା ଏହି ସରକାର ଏବେ ପ୍ରମାଣିତ କରିଛି ଯେ ଭାରତ ବର୍ଷରେ ଭାରତୀୟ ଜନତା ପାର୍ଟି ସରକାର ହେଉଛି ଦେଶର ସର୍ବାଧିକ ଦୁର୍ନୀତି ଖୋର ସରକାର ବୋଲି। ନିଟ ୟୁଜି ୨୦୨୬ ପରୀକ୍ଷା ଆୟୋଜନ ପୂର୍ବରୁ ପ୍ରଶ୍ନପତ୍ର ଯେଉଁଭଳି ଭାବରେ ପ୍ରଘଟ ହେଲା ଏହା ଏକ ଚିନ୍ତଜନାକ ବିଷୟ। ପାଖାପାଖି ସାରା ଦେଶରେ ୨୨ ଲକ୍ଷ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ପ୍ରଘଟ ହେବା କାରଣରୁ ପ୍ରଭାବିତ ହୋଇଛନ୍ତି। ଯେଉଁ ମେଧାବୀ ଛାତ୍ରଛାତ୍ରୀ ମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ନିଟ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହେବାପାଇଁ ସ୍ୱପ୍ନ ଦେଖିଥିଲେ କେନ୍ଦ୍ର ସରକାର ସେମାନଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଲେ। ବିଦ୍ୟାର୍ଥୀ ମାନଙ୍କର ଅଭିଭାବକ ମାନେ ଯେଉଁଭଳି କଷ୍ଟକରି ସେମାନଙ୍କର ଝାଳ ଅର୍ଜିତ ଧନରେ ତାଙ୍କୁ ଉଚ୍ଚଶିକ୍ଷିତ କରିବାପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଏହା କଣ ଥିଲା ମୋଦିଙ୍କର ଆଛେଦିନ! ଓଡ଼ିଆ ଅସ୍ମିତା କଥା କହୁଥିବା ଓଡ଼ିଶାର ସ୍ୱାଭିମାନ କଥା କହୁଥିବା ଏବଂ ଗଣମାଧ୍ୟମରେ ସବୁବେଳେ ପାଇଁ ବାହ ବାହା ନେଉଥିବା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅପାରଗତା ଆଜି ଧରାପଡ଼ିଯାଇଛି। ଯଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଆ ସ୍ୱାଭିମାନ କଥା କହୁଛନ୍ତି ତାହାଲେ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ଉଚିତ ତଦନ୍ତ ହେବାପାଇଁ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ ଦେଶବାସୀ ଏବଂ ଓଡ଼ିଶା ବାସୀ ତାଙ୍କୁ କେବେବି କ୍ଷମାଦେବେ ନାହିଁ। ଯଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ନ ଦିଅନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କର ଭାବାବେଗକୁ ଦୃଷ୍ଟିରେ ରଖି ଯୁବ କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ କେନ୍ଦ୍ରକୁ ଆସୁଥିବା ମନ୍ତ୍ରୀମାନଙ୍କୁ ଓଡ଼ିଶାରେ ଜୋରଦାର ବିରୋଧ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା