
କନ୍ଧମାଳ, ୧୪ ମଇ (ହି.ସ.)-
ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଓ କୃଷୀ ବିଭାଗ, କନ୍ଧମାଳଙ୍କ ମିଳିତ ସହଯୋଗରେ ଚକାପାଦ ବ୍ଲକ୍ ବ୍ରହ୍ମଣପାଦ ଗ୍ରାମପଂଚାୟତର ଖଞାଗୁଡା ଠାରେ କୃଷିଭିତିକ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏ ବର୍ଷଟିକୁ ଆର୍ନ୍ତଜାତୀକ ମହିଳା କୃଷକ ବର୍ଷ ଭାବେ ପାଳନ କରାଯାଉଥିବାରୁ ଏହି କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରରେ ମହିଳା ମାନଙ୍କର ଭୂମିକାକୁ ଗୁରୁତ୍ୱ ଦିଆଯାଇଛି ।
କାର୍ଯ୍ୟକ୍ରମରେ ଚକାପାଦ ବ୍ଲକ୍ ସହ କୃଷି ଅଧିକାରୀ ଶିବାନୀ ପ୍ରଧାନ, ବ୍ଲକ୍ ବୈଷୟିକ ପରିଚାଳକ ରାଧାରମଣ ଶର୍ମା, ପଂଚାୟତ କୃଷି ପରିଦର୍ଶକ ଶତୃଘନ ମହାକୁଡ, ବ୍ରହ୍ମଣପାଦ ସରପଂଚ ରଶ୍ମିତା ମଲ୍ଲିକ ଓ ସ୍ଥାନୀୟ ପଂଚାୟତ ପ୍ରତିନିଧି ରିତା କହଁର ଯୋଗଦେଇ ବିଭିନ୍ନ ଚାଷ କାର୍ଯ୍ୟରେ ମହିଳା ମାନଙ୍କ ଅବଦାନକୁ ବଖାଣିବା ସହିତ ଧାନ କାଟିବା ପୂର୍ବରୁ ବା ଧାନ କାଟିବା ପରେ କିପରି ବିଭିନ୍ନ ଡାଲି ଜାତୀୟ ଫସଲ ଅମଳ କରି ହେବ ତାହା ଉପସ୍ଥାପନା କରିଥିଲେ ଏବଂ ଜମିର ଉର୍ବରତା ବଢାଇବାକୁ ହେଲେ ଧନିଚା ଚାଷ ଜରୁରି ବୋଲି କହିଥିଲେ । ସାଧାରଣରେ ଯଦି ଦେଖାଯାଏ କନ୍ଧମାଳ ଜିଲ୍ଲାରେ କୃଷି କ୍ଷେତ୍ରରେ ମହିଳା ମାନଙ୍କର ଦାୟିତ୍ୱ ଯଥେଷ୍ଟ ଅଧିକ । ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ଉପସ୍ଥିତ ରହି ବର୍ତମାନ ସମୟକୁ ଖାପଖୁଆଇ କିପରି ଜଣେ ଚାଷୀ ଆଗକୁ ବଢିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି ଏବଂ ଯୁବପିଢି ମାନେ ଏଥିପ୍ରତି ସଜାଗ ନହେଲେ ଆଗାମି ଦିନରେ କୃଷୀ କ୍ଷେତ୍ରରେ ଘୋର ସଙ୍କଟ ଦେଖାଦେବ ବୋଲି କହିଥିଲେ । ଏହା ପରେ ବ୍ରହ୍ମଣପାଦ ସରପଂଚ ଆଗାମି ଦିନରେ କିପରି ଅଧିକ ଚାଷୀ ଏହି ଡାଲି ଜାତୀୟ ଫସଲ ଏବଂ ମଟର ଓ ବିରି ଚାଷ କରିବେ ସେ ବିଷୟରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏ ବର୍ଷଟି ମହିଳା କୃଷକ ମାନଙ୍କ ପାଇଁ ଉତ୍ସର୍ଗିକୃତ ଥିବାରୁ ମହିଳା ମାନେ ମଧ୍ୟ ଏଥିପ୍ରତି ଯତ୍ନବାନ ହେବାକୁ ପଡିବ ବୋଲି ତାଲିମ ରେ ମତ ପ୍ରକାଶ ପାଇଥିଲା ।
କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରକଳ୍ପ ସଂଯୋଜକ ବିଶ୍ୱରଞନ କର ପରିଚାଳନା କରିଥିବା ବେଳେ କୃଷକ ସାଥୀ ଭିମସେନ ମଲ୍ଲିକ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ