
ଭୁବନେଶ୍ୱର , 14 ମେ (ହି.ସ.) -ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ-2026କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିମଳ ଉପାୟୁକ୍ତ ଏନ୍. ଗଣେଶ ବାବୁ, ସହକାରୀ କମିଶନର ଲୋକନାଥ ବେଜ୍ ମଞ୍ଚାସୀନ ଥିଲେ । ଏହି ବୈଠକରେ ସମସ୍ତ ସ୍ୱଚ୍ଛ ସାଥୀ, ପରିମଳ ନିରୀକ୍ଷକ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଜେଇସି, ଆଇଇସି ପ୍ରମୁଖ ଉପସ୍ଥିତ ଥିଲେ । ସଂପ୍ରତ୍ତି ନାଗରିକମାନଙ୍କର ମତାମତ ସଂଗ୍ରହ ଜାରି ରହିଛି । ଅଧିକରୁ ଅଧିକ ସଂଖ୍ୟକ ନାଗରିକଙ୍କୁ ଏଥିରେ ସାମିଲ କରି ସେମାନଙ୍କର ସକରାତ୍ମକ ମତାମତ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।
ଲୋକମାନେ ଆଗ୍ରହର ସହ ସେମାନଙ୍କର ମତାମତ ଦେଉଛନ୍ତି । ତେବେ କେତେକ କ୍ଷେତ୍ରରେ ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଉଥିବା ଓଟିପି ଦେବାକୁ ଲୋକେ ଅରାଜି ହେଉଥିବା ନେଇ ସ୍ୱଚ୍ଛସାଥୀମାନେ କହିଥିଲେ । ସ୍ୱଚ୍ଛ ସର୍ବେକ୍ଷଣ ଫିଡ୍ ବ୍ୟାକ୍ ପାଇଁ ଆସୁଥିବା ଓଟିପି କୌଣସି ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବ ନାହିଁ ବୋଲି ଲୋକମାନଙ୍କୁ ସଚେତନ କରାଇବାକୁ କୁହାଯାଇଛି । ଏହା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଏକ କୋର୍ଡ । ଏହି କୋର୍ଡ ଜରିଆରେ କେଉଁଲୋକ କେଉଁ ମୋବାଇଲରୁ ମତାମତ ଦେଇଛନ୍ତି, କେବଳ ତାହା ଜାଣିବା ପାଇଁ ଉଦ୍ଦିଷ୍ଠ । ଏଥିରେ କାହାରି ଡାଟା କିମ୍ବା କୌଣସି ତଥ୍ୟ ପ୍ରକାଶ ପାଇବ ନାହିଁ କିମ୍ବା ହ୍ୟାକ୍ ହେବାର ସମ୍ଭାବନା ନାହିଁ ବୋଲି ବିଏମ୍ ସି ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । କେବଳ ସେତିକି ନୁହେଁ, ମତାମତ ଦେଉଥିବା ବ୍ୟକ୍ତିଙ୍କର ସମସ୍ତ ତଥ୍ୟ ଗୋପନୀୟ ରହିବ । ଏଥିପାଇଁ ଜନ ସାଧାରଣ ଭୟ କରିବାର କିଛି ନାହିଁ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି ।
ଜନ ସାଧାରଣଙ୍କ ସହଯୋଗରେ ସ୍ୱଚ୍ଛତାର ପାହାଚରେ ଦିନକୁ ଦିନ ଆଗେଇ ଚାଲିଛି ସ୍ମାର୍ଟ ସିଟି ଭୁବନେଶ୍ୱର । ଚଳିତ ବର୍ଷ, ସ୍ୱଚ୍ଛ ସର୍ବେକ୍ଷଣରେ, ଦେଶର ମୋଟ 4789 ଗୋଟି ସହର ମଧ୍ୟରେ ଭୁବନେଶ୍ୱର ମଧ୍ୟ ଭାଗ ନେଇଛି । ତେଣୁ, ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ଏକ ନମ୍ବର ସ୍ୱଚ୍ଛ ସହର କରିବା ପାଇଁ ଭୁବନେଶ୍ୱରବାସିଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ । ସ୍ମାର୍ଟ ସିଟି ଭୁବନେଶ୍ୱର ଜଣେ ସଚେତନ ଓ ଦାୟିତ୍ୱବାନ ନାଗରିକ ଭାବେ ଆପଣ ନିଜ ନିଜର ମୋବାଇଲରେ ଗୁଗଲକୁ ଯାଇ ସିଟିଜେନ୍ ଫିଡ୍ ବ୍ୟାକ୍-2026 ରେ କ୍ଲିକ୍ କରନ୍ତୁ କିମ୍ବା ବିଏମ୍ ସି ସଫେଇ ଗାଡିରେ ଲାଗିଥିବା କ୍ୟୁଆର କୋର୍ଡ ସ୍କାନ କରି ଆମ ସହର ଭୁବନେଶ୍ୱରକୁ ଏକ ନମ୍ବର କରିବା ପାଇଁ ଏଥିରେ ଥିବା 13 ଗୋଟି ପ୍ରଶ୍ନର ସକରାତ୍ମକ ଉତ୍ତର ଦେବାକୁ କୁହାଯାଇଛି । ସିଟିଜେନ୍ ଫିଡ୍ ବ୍ୟାକ୍-2026 କ୍ଲିକ୍ କରି ଉତ୍ତର ଦେବା ସହ ଭୁବନେଶ୍ୱରକୁ ଏକନମ୍ବର କରିବାରେ ସହାୟକ ହେବା ପାଇଁ ବିଏମ୍ ସି ଅଂଚଳରେ ବସବାସ କରୁଥିବା ସବୁ ବର୍ଗର ଲୋକଙ୍କୁ ଅନୁରୋଧ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା