
ପୁରୀ/ପିପିଲି, ୧୪ ମଇ (ହି.ସ.)- ପୁରୀ ଜିଲ୍ଲା ଡେଲାଙ୍ଗରେ ବେଆଇନ ପଥର ଖଣି ବିବାଦକୁ କେନ୍ଦ୍ର କରି ଗୁଳି ଫୁଟିବା ସହ ବୋମା ମାଡ଼ ହୋଇଛି l ଏଥିରେ ୩ ଜଣ ଆହତ ହୋଇଛନ୍ତି । ଡେଲାଙ୍ଗ ଥାନା ଅନ୍ତର୍ଗତ ହରିପୁର କଲେଜ ନିକଟ ଏକ ଫାର୍ମ ହାଉସ ଆଗରେ ବୋମାମାଡ଼ ସହ ଗାଡି ଭଙ୍ଗାରୁଜା ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟିଛି ଘଟଣା । ବୋମାମାଡ଼ରେ ୩ ଜଣ ଆହତ ହୋଇଛନ୍ତି ।
ବେଆଇନ ଖଣି ଖୋଳା ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ଜଣାପଡିଛି l
ସୂଚନା ଅନୁଯାୟୀ, ଫାର୍ମ ହାଉସରେ କିଛି ଯୁବକ ରୋଷେଇ କରୁଥିବା ବେଳେ ଗତକାଲି ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ କେତେକ ଦୁର୍ବୃତ୍ତ ଆସି ଫାର୍ମ ହାଉସ ଆଗରେ ୩ଟି ବୋମାମାଡ଼ କରିବା ସହ ଗୁଳି ଫୁଟାଇଥିଲେ । ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇଟି ଫୁଟି ନଥିଲା । ଅଫୁଟା ବୋମା ଘଟଣାସ୍ଥଳରେ ପଡ଼ିଛି । ଗୋଟିଏ କାରର କାଚକୁ ଦୁର୍ବୃତ୍ତ ମାନେ ଭାଙ୍ଗି ଦେଇଛନ୍ତି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଘଟଣାସ୍ଥଳରେ ଡେଲାଙ୍ଗ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ