
ଚମ୍ପୁଆ, ୧୪ ମଇ (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅଞ୍ଚଳରେ ବୁଧବାର ରାତିରେ ହୋଇଥିବା କାଳ ବୈଶାଖୀର ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଦେଖିବାକୁ ମିଳିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି।
ଖବର ଅନୁସାରେ, ବ୍ଲକର ଜାଲି ଏବଂ ଭୁଇଁପୁର ପଞ୍ଚାୟତରେ ପ୍ରବଳ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହିତ ଅନେକ ଘରର ଆଜବେଷ୍ଟସ ଛାଉଣି ଉଡିଯାଇଛି। ତେବେ ଏହି କାଳବୈଶାଖୀର ପ୍ରଭାବରେ ଜାଲି ପଞ୍ଚାୟତର ନିଶ୍ଚିନ୍ତପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତ ନାମକ ଜଣେ ବ୍ୟକ୍ତି ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେ ତାଙ୍କ ଏକ ଛାତ ଘର ନିର୍ମାଣ କରୁଥିବା ବେଳେ ଛାତ ପକାଇବା ପାଇଁ ସମସ୍ତ ସେଣ୍ଟ୍ରିଂ କାମ ଶେଷ ହୋଇଥିଲା। ମାତ୍ର ଗତକାଲିର ପ୍ରବଳ ପବନ ସେଣ୍ଟ୍ରିଂ ସାମଗ୍ରୀ ଓ ରଡ୍ କୁ ଉଡାଇ ନେଇ ନିକଟସ୍ଥ ଏକ ଗଛରେ ଫସାଇ ଦେଇଛି। ଏଥିରେ ତାଙ୍କର ବ୍ୟବହୃତ ସମସ୍ତ ନିର୍ମାଣ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବ୍ୟକ୍ତି ଜଣକ ବଡ଼ ଧରଣର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେହିପରି ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟରେ ସ୍ଥାନୀୟ ଲୋକେ ବେଶ୍ ପ୍ରଭାବିତ ହୋଇଛନ୍ତି। ଘରଦ୍ୱାର ଭାଙ୍ଗିବା ସହ ଜୀବିକା ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ କ୍ଷତିଗ୍ରସ୍ତ ପରିବାରମାନେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି। ତେଣୁ ଚମ୍ପୁଆ ବ୍ଲକ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରିବା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta