
ବଲାଙ୍ଗିର, ୧୪ ମଇ (ହି.ସ.)- ଦ୍ରୁତ ଜନସଂଖ୍ୟା ଓ ଭୌଗୋଳିକ ପରିସୀମା ବୃଦ୍ଧି ଯୋଗୁଁ ଶାନ୍ତିପ୍ରିୟ ବଲାଙ୍ଗିର ସହରର ସୁରକ୍ଷା ଓ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ। ମଙ୍ଗଳବାର ସଂଗଠନର ଏକ ପ୍ରତିନିଧି ଦଳ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ସହରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଏବଂ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ, ବର୍ତ୍ତମାନ ବଲାଙ୍ଗିର ସହରର କଳେବର ବୃଦ୍ଧି ପାଇ ଜନସଂଖ୍ୟା ପାଖାପାଖି ୧.୫ ଲକ୍ଷ ଅତିକ୍ରମ କଲାଣି। ଏହି ପରିପ୍ରେକ୍ଷୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମାତ୍ର ୨ଟି ପିସିଆର ଭ୍ୟାନ ନିୟୋଜିତ ରହିବା ସହରର ଜନସଂଖ୍ୟା ଓ ଭୌଗୋଳିକ ପରିସୀମା ତୁଳନାରେ ଅତି ନଗଣ୍ୟ। ଏହାର ସୁଯୋଗ ନେଇ ସହରର ବିଭିନ୍ନ ସ୍ଥାନରେ ନିଶାଖୋରଙ୍କ ପ୍ରାଦୁର୍ଭାବ ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି, ଯାହା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ସହରକୁ ଅପରାଧମୁକ୍ତ କରିବା ପାଇଁ ଅତିକମରେ ଆଉ ୩ ରୁ ୪ଟି ନୂତନ ପିସିଆର ଭ୍ୟାନ ସହ ସ୍ୱତନ୍ତ୍ର ପୋଲିସ ବଳ ନିୟୋଜିତ କରି ୨୪/୭ ପାଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରିବାକୁ ସଂଗଠନ ଦାବି କରିଛି।
ସେହିପରି ସହରର ପ୍ରମୁଖ ଛକଗୁଡ଼ିକରେ ଟ୍ରାଫିକ ନିୟନ୍ତ୍ରଣ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଲୋକସଂଖ୍ୟା ଅନୁସାରେ ଯାନବାହନ ସଂଖ୍ୟା ମଧ୍ୟ ବଢୁଥିବାରୁ ପୂର୍ବରୁ ଥିବା ଟ୍ରାଫିକ ପୋଷ୍ଟ ଗୁଡ଼ିକ ଅପର୍ଯ୍ୟାପ୍ତ ମନେ ହେଉଛି। କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ, ଶୌଚାଳୟ ଓ ପାନୀୟ ଜଳର ସୁବିଧା ଥିବା ଆଧୁନିକ ଟ୍ରାଫିକ ଆଉଟପୋଷ୍ଟ ନିର୍ମାଣ କରିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି। ବିଶେଷ କରି ସହରର ନୂତନ ବ୍ୟସ୍ତବହୁଳ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରାଯାଇ ସେଠାରେ ନୂତନ ଟ୍ରାଫିକ ଆଉଟପୋଷ୍ଟ ସହ ଅଧିକାରୀ ନିୟୋଜିତ କରିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି।
ସଂଗଠନର ସଦସ୍ୟଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ପରେ ବଲାଙ୍ଗିର ଏସପି ସମସ୍ତ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଏସପିଙ୍କ ପ୍ରତିଶ୍ରୁତି ମୁତାବକ, ସହରର ସୁରକ୍ଷା ହେଉଛି ତାଙ୍କର ପ୍ରାଥମିକତା। ପିସିଆର ସଂଖ୍ୟା ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଏବଂ ଅଧିକ ଗାଡ଼ି ମଗାଇବା ପାଇଁ ପ୍ରୟାସ କରାଯିବ। ଏହା ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ଟ୍ରାଫିକ ଆଉଟପୋଷ୍ଟ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପଦକ୍ଷେପ ଗୁଡ଼ିକୁ ଗ୍ରହଣ କରାଗଲେ ସହରବାସୀଙ୍କ ମଧ୍ୟରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଏକ ନୂଆ ଆଶା ସଞ୍ଚାର ହୋଇପାରିବ।
ସଂଗଠନର ଏହି ପ୍ରତିନିଧି ମଣ୍ଡଳୀରେ ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉତ୍ତମ ନନ୍ଦ, ରବୀନ୍ଦ୍ର ପ୍ରଧାନ, ସରୋଜ ଜାଲ, ଶିବ ବେହେରା, ସୁରେନ୍ଦ୍ର ସେଠ୍ ଓ କିଶୋର ଜାଲ ପ୍ରମୁଖ ସାମିଲ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ