
ନୂଆପଡ଼ା,୧୪ ମଇ (ହି.ସ.) - ଛତିଶଗଡ଼ ବନ ବିଭାଗର ଅମାନୁଷିକ କାର୍ଯ୍ୟ, ବୃଦ୍ଧ ଲୋକକେ ଧରି ନି କରି ଦେଲେ ଥାର୍ଡ ଡିଗ୍ରୀ କରିଥିବା ଅଭିଯୋଗ ହୋଇଛି। ଛତିଶଗଡର ମେନପୁର ଫରେଷ୍ଟ ବିଭାଗର ଅମାନୁଷିକ କାର୍ଯ୍ୟ। ଜଣେ ବୃଦ୍ଧଙ୍କୁ ଉଠାଇ ନେଇ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି।
ଘଟଣାରୁ ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ କୁସୁମଖୁଣ୍ଟା ଗ୍ରାମର ଜଳନ୍ଧର ବଗର୍ତ୍ତି ଗତ ଦଶ ତାରିଖ ଦିନ ଗାଈ ଚରାଇବାକୁ ଯାଇଥିଲେ। ଏହି ସମୟରେ ଦୁଇଟି ବୋଲେରୋ ଗାଡ଼ିରେ କିଛି ଲୋକ ଆସି ତୁ ହିଙ୍ଗୁଲ କି ବୋଲି ପଚାରିଥିଲେ। ଜଳନ୍ଧର ମୁଁ ହିଙ୍ଗୁଲ୍ ନୁହେଁ ବୋଲି କହିବା ସତ୍ତ୍ୱେ ତାଙ୍କୁ ନେଇ ଯାଇଥିଲେ। ପରିବାର ଲୋକେ ଖବର ପାଇଲା ପରେ ବୋଡ଼େନ ଥାନାରେ ଆସି ଜଣାଇଲେ। ବୋଡ଼େନ ପୁଲିସ ତଦନ୍ତ କରିବାରୁ ଛତିଶଗଡ଼ର ମେନପୁର ବନବିଭାଗ କର୍ମଚାରୀ ନେଇଯାଇଥିବା ଜଣାପଡ଼ିଥିଲା।
ଜଳନ୍ଧରଙ୍କ କହିବା ଅନୁଯାୟୀ, ରାତି ସାରା ତାଙ୍କୁ ନିର୍ଯାତନା ଦିଆଯାଇଥିଲା। ଦୁଇ ଜଣ ତାଙ୍କ ହାତ ଧରିଲେ ଓ ଜଣେ ଦଣ୍ଡାରେ ଦେହ ସାରା ମାଡ ମାରିଥିଲେ। ପରେ ଉଲଗ୍ନ କରି ମଧ୍ୟ ମାଡ ମରାଯାଇଥିଲା। ପରେ ଆଉ ଦୁଇ ଜଣ ତାଙ୍କୁ ଥାପଡ ମାରିଥିଲେ। ଜଳନ୍ଧରଙ୍କ ପିଚା ଫୁଲି ଯାଇଥିବା ବେଳେ ଦେହର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ତା' ଆରଦିନ ତାଙ୍କ ପୁଅ ମୋତିଲାଲ୍ ବଗର୍ତ୍ତି ମେନପୁର ଗଲା ପରେ ଜଳନ୍ଧରଙ୍କୁ ଛାଡି ଦେଇଥିଲେ। ଜଳନ୍ଧର ଘରକୁ ଆସି ଆରଦିନ ସ୍ଥାନୀୟ ସମାଜସେବୀ ସୌଦାଗର ସାହୁଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ସହ ଛତିଶଗଡ଼ ପୁଲିସରେ ଯାଇ ଅଭିଯୋଗ କଲେ। ଛତିଶଗଡ଼ ପୁଲିସ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହି ପରେ ଏଇଠି ଅଭିଯୋଗ ହୋଇ ପାରିବନି ତୁମେ ବୋଡ଼େନ ଥାନାରେ ଅଭିଯୋଗ କର ବୋଲି କହିଥିଲେ। ଆଜି ଜଳନ୍ଧର ବୋଡ଼େନ ଥାନାରେ କେଶ କରିଥିବା ବେଳେ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ