

କନ୍ଧମାଳ, ୧୪ ମଇ (ହି.ସ.)- କନ୍ଧମାଳ ଜିଲ୍ଲାରେ ଅନେକ ଆଂଚଳିକ ଚାଷ ଉତ୍ପାଦନ ରହିଛି ସେଥିରୁ ଅତି ସ୍ବାଦିଷ୍ଟ ମାଳ ଝୁଡ଼ଙ୍ଗ, ମାଳ ବିନ୍ସ ଏବଂ ମାଳ ଆଳୁ ଅନ୍ଯତମ । ଶୀତ ରୁତୁର ଆରମ୍ଭ ରେ ଏହି ସବୁର ଉତ୍ପାଦନ ହୋଇଥାଏ । ସେଥିମଧ୍ୟରୁ ବିନ୍ସ ଓ ଝୁଡ଼ଙ୍ଗ ଅତି ଅଳ୍ପ ପରିମାଣର ଏବଂ କମ ସମୟ ମଧ୍ୟରେ ଆଦାୟ ହୁଏ ଯାହା ଆଞ୍ଚଳିକ ଲୋକଙ୍କ ସମେତ ବାହାର ଜିଲ୍ଲା ଲୋକେ ମଧ୍ୟ ସଂଗ୍ରହ କରିଥାଆନ୍ତି। ହେଲେ ମାଳ ଆଳୁ ପୂର୍ବରୁ ଅଧିକ ପରିମାଣରେ ଉତ୍ପାଦନ ହେଉଥିଲା । ଏହାର ବିଶେଷତ୍ବ ହେଲା ଏହି ଆଳୁ ଅନ୍ୟ ଆଳୁ ତୁଳନାରେ ଅଧିକ ଦିନ ଧରି ଗଛିତ ରଖାଯାଇପାରିବ। ଏଥି ସହିତ ଏହାର ସ୍ବାଦ ମଧ୍ୟ ଅନ୍ଯ ଆଳୁ ତୁଳନାରେ ଅଧିକ ସ୍ବାଦିଷ୍ଟ ଅଟେ । ବିଶେଷଜ୍ଞଙ୍କ ମତରେ ଏହି ଆଳୁ ଡାଏବେଟିସ୍ ରୋଗୀ ମଧ୍ୟ ଖାଇ ପାରିବେ। ତେଣୁ ଏହାର ଚାହିଦା ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ରହିଛି। ଯେଉଁମାନେ ଏହି ଆଳୁ ଥରେ ଖାଇଛନ୍ତି ସେମାନେ ପର ବର୍ଷ ପୁଣି ଏହାର ଉତ୍ପାଦନ ରୁତୁରେ ପୁଣି ଖୋଜି ଥାଆନ୍ତି। ଜିଲ୍ଲାର ଏହି ବିରଳ ଉତ୍ପାଦନର ଯଥେଷ୍ଟ ଅଧିକ ଚାହିଦା ଥିବାବେଳେ ସେହି ଅନୁପାତରେ ଏହାର ଉତ୍ପାଦନ ହୋଇ ପାରୁନାହିଁ। ଏହା ବାବଦରେ ବଡବଡିଆଙ୍କ ସମେତ ସମସ୍ତ ସ୍ତରର ଲୋକେ ଏହାର ସ୍ବାଦ ନେଇଛନ୍ତି। ଏହା କନ୍ଧମାଳର ମାଟିରେ ହିଁ ଭଲ ଏବଂ ଅଧିକ ଉତ୍ପାଦନ ହୋଇଥାଏ। କାରଣ ପୂର୍ବରୁ କେତେକ ପରିବା ପ୍ରେମୀ ମାନେ ଏଠାରୁ ଏହାର ବିହନ ସଂଗ୍ରହ କରି ନିଜ ବଗିଚା ଓ ଜମିରେ ଚାଷ କରିବା ପାଇଁ ଚେଷ୍ଟା କରୁଛନ୍ତି। ଅତୀତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆଳୁର ଚାଷ ପାଇଁ ପ୍ରୋତ୍ସାହନ ଯୋଜନା କରିଥିବା ନେଇ ସୂଚନା ମିଳିଥିଲା। ହେଲେ ପରବର୍ତ୍ତୀ ସମୟରେ ଏଥିରେ ଶିଥିଳତା ସୃଷ୍ଟି ହୋଇଛି। ତେଣୁ ଜିଲ୍ଲାର ଏହି ସ୍ବତନ୍ତ୍ର ଉତ୍ପାଦନକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବିମାନେ ମତ ପୋଷଣ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ