


ମାଲକାନଗିରି, ୧୪ ମଇ (ହି.ସ.)- ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ ଓ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଯୁକ୍ତ ତିନି ଚତୁର୍ଥ ସେମିଷ୍ଟର ଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ବ୍ୟବହାରିକ ପ୍ରଶିକ୍ଷଣ ଓ ସମୁଦାୟିକ ସହଭାଗିତା କାର୍ଯ୍ୟକ୍ରମ ମାଲକାନଗିରି ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ବାରା ନାମାଙ୍କନ ଆରମ୍ଭ କରାଯାଇଛି | ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଚିତ୍ତରଞ୍ଜନ ବାରିକ ଶୁଭାରମ୍ଭ କରିଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ରେ ବାଣିଜ୍ୟ ବିଭାଗର ୨୩ ଜଣ ଛାତ୍ର ଛାତ୍ରୀ ବ୍ୟବହାରିକ ପ୍ରଶିକ୍ଷଣରେ ଯୋଗଦାନ କରିଛନ୍ତି। ମୁଖ୍ୟ ଅତିଥି ରୂପେ ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ବିନୋଦ କୁମାର ବିଶୋଇ ବ୍ୟାଙ୍କ ର କାର୍ଯ୍ୟ ପନ୍ଥା ଏବଂ ବ୍ୟାଙ୍କର ସେବା ବିଷୟରେ ଉଦବୋଧନ ଦେଇଥିଲେ | ମୁଖ୍ୟ ବକ୍ତା ରୂପେ ସୌମ୍ୟ ରଞ୍ଜନ ବେହେରା କ୍ଷେତ୍ର ଅଧିକାରୀ ଏବଂ ରୋହିତ କୁମାର ତପ, କୃଷି ଓ ବାଣିଜ୍ୟ କ୍ଷେତ୍ର ଅଧି କାରୀ ଯୋଗଦାନ କରି ବ୍ୟାଙ୍କ ର ସୁବିଧା କୃଷିୟ ବାଣିଜ୍ୟକୁ ବୃଦ୍ଧି କରିବାରେ କିପରି ସାହାଯ୍ୟ କରେ ସେ ବିଷୟରେ ଆଲୋପାତ କରିଥିଲେ |କାର୍ଯ୍ୟକ୍ରମ ସଂଯୋଜକ ତଥା ବାଣିଜ୍ୟ ବିଭାଗ ମୁଖ୍ୟ ଡ଼କ୍ଟର ରଞ୍ଜନ କୁମାର ସ୍ବାଇଁ କାର୍ଯ୍ୟକ୍ରମ ବିଷୟରେ ସମ୍ପୂର୍ଣ ପରାମର୍ଶ ଦେଇଥିଲେ। ପ୍ରତ୍ୟକ ଛାତ୍ର ୧୨୦ ଘଣ୍ଟା କିମ୍ବା ୩୫ ଦିନ ପ୍ରଶିକ୍ଷଣ ନେଲା ପରେ ଏକ ପ୍ରୋଜେକ୍ଟ ପ୍ରଦାନ କରି ଡିପ୍ଲୋମା ସାର୍ଟିଫିକେଟ ପାଇଁ ଯୋଗ୍ୟ ବିବେଚିତ ହେବେ |
ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଅଭିଜ୍ଞ ପ୍ରଶିକ୍ଷଣ ନେଇ ଗୁଣବତା ହେବା ପାଇଁ ନିଜକୁ ପ୍ରସ୍ତୁତ କରିବା | ସେହିପରି କଳା ଛାତ୍ରମାନେ ଅଙ୍ଗନୱାଡ଼ି, ଗୋଷ୍ଠି କେନ୍ଦ୍ର, ବିଦ୍ୟାଳୟ ଏବଂ ବିଭିନ୍ନ ବିଭାଗରେ ନିଜ ନିଜ ଅଂଚଳରେ ପ୍ରଶିକ୍ଷଣ ନେଇପାରିବେ। ପ୍ରଶିକ୍ଷଣ ପରେ ନିଯୁକ୍ତି ପାଇବା ପାଇଁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରାଯାଇଅଛି | ଏହା ପ୍ରଥମ ଥର ଆୟୋଜନ କରାଯାଇଥିବାରୁ ଛାତ୍ର ଛାତ୍ରୀଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି | କାର୍ଯ୍ୟକ୍ରମ ଶେଷରେ ବି. ଗୁପ୍ତେଶ୍ବର ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ