
କନ୍ଧମାଳ, ୧୪ ମଇ (ହି.ସ.)-
ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ୱାସ୍ଥ୍ୟ ସେବା ଏକ ମହତ୍ୱପୂର୍ଣ୍ଣ ଦିଗ ହୋଇଥିବା ବେଳେ ସେ ମଧ୍ୟରୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଏବଂ ମାତୃ ଓ ଶିଶୁ ମୃତ୍ୟୁହାର କମାଇବାରେ ସୁରକ୍ଷିତ ଓ ଆନୁଷ୍ଠାନିକ ପ୍ରସବର ମହତ୍ୱ ଯଥେଷ୍ଟ ଅଧିକ ରହିଛି । ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳ ଗୁଡିକରେ ଗର୍ଭବତୀଙ୍କ ନିକଟରେ ସୁଷମ ଆହାରର ଗୁରୁତ୍ୱର ବାର୍ତା ପହଂଚାଇବା ଓ ଘରୋଇ ପ୍ରସବକୁ ହ୍ରାସ କରି ଆନୁଷ୍ଠାନିକ ପ୍ରସବ ବଢାଇବାକୁ ଜିଲ୍ଲା ସ୍ୱାସ୍ଥ୍ୟସମିତି କନ୍ଧମାଳଙ୍କ ତରଫରୁ ସ୍ଥାନେ ସ୍ଥାନେ ମା ଗୃହ ସ୍ଥାପନ କରାଯାଇଛି । ସେହିପାରି କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ ର ସହଯୋଗରେ ମଈ ମାସ ୨୦୨୦ ମସିହା ଠାରୁ ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ଠାରେ ଏକ ମା ଗୃହ ପରିଚାଳିତ କରାଯାଉଛିି । ଏହି ମା ଗୃହ ଆଜି ତା'ର ଷଷ୍ଠ ବାର୍ଷିକ ପାଳନ କରି ସୁରକ୍ଷିତ ପ୍ରସବ ନିମନ୍ତେ ସୁଷମ ଆହାରର ଆବଶ୍ୟକତା ଓ ଆନୁଷ୍ଠାନିକ ପ୍ରସବର ଗୁରୁତ୍ୱ ଶିର୍ଷକ ଏକ ଆଲୋଚନାଚକ୍ର ଆୟୋଜନ କରିଥିଲେ । ଏହି ଆଲୋଚନାଚକ୍ରରେ ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ସୁକାନ୍ତି ପ୍ରଧାନ ଉପସ୍ଥିତ ରହି ଅବୁଝା ଭାବେ ରହିଯାଉଥିବା ପରିବାରଙ୍କୁ ସଚେତନ କରିବା ନିମନ୍ତେ ଆଗଧାଡିର ସ୍ୱାସ୍ଥ୍ୟସେବିକା/ସେବକ ମାନେ ଆହୁରି ଅଧିକରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ସାନ୍ତନୁ କୁମାର ମିଶ୍ର ଯୋଗଦେଇ ମା ଗୃହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୂଖ୍ୟ ଏବଂ ଏହାର ସେବା ସମ୍ପର୍କରେ ଅବଗତ କରାଇଥିଲେ, ଯାହାକି ମାତୃ ଓ ଶିଶୁ ମୃତ୍ୟୁ ହାରକୁ କମାଇବାରେ ସହାୟକ ହେଉଛି । ଆହୁରି ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କଟ୍ରିଙ୍ଗିଆ ମା ଗୃହ ରେ ଆଡିମିଶନ୍ ନେଇ ୨୦୦୦ ରୁ ଅଧିକ ଗର୍ଭବତୀ ସେବା ପାଇଛନ୍ତି ବୋଲି କହିଥିଲେ । ଏହା ବ୍ୟତିତ ସେ ଗ୍ରାମାଂଚଳରେ ଥିବା ଅନ୍ଧବିଶ୍ୱାସକୁ ଦୂରେଇ ଗର୍ଭାବସ୍ଥାରେ ବିଭିନ୍ନ ସୁଷମ ଆହାର ସେବନ କରିବା ସହ ଉପଯୁକ୍ତ ବିଶ୍ରାମ ନେବା ଓ ଅପହଂଚ ଅଂଚଳର ଗର୍ଭବତୀମାନେ ଅନୁଷ୍ଠାନରେ ପ୍ରସବ କରାଇବା ନିମନ୍ତେ ସଠିକ୍ ସମୟ ପୂର୍ବରୁ ମା ଗୃହରେ ଅବସ୍ଥାପିତ ହେବାକୁ ଅନୁରୋଧ କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରି ମନିସା ଖମାରି, ଏ.ଏନ୍.ଏମ୍. ବିଜୟଲକ୍ଷ୍ମୀ ବେହେରା ଓ ସସ୍ମିତା ସାହୁ, ଅଙ୍ଗନଓାଡି କର୍ମି ସରସ୍ୱତି ସାହୁ ଏବଂ ଆଶା କର୍ମି ଝୁନା କହଁର ଉପସ୍ଥିତ ରହି ଆନୁଷ୍ଠାନିକ ପ୍ରସବକୁ ବଢାଇବାକୁ ହେଲେ ଲୋକ ଭାଗିଦାରିତାର ଯଥେଷ୍ଟ ଆବଶ୍ୟକତା ଅଛି ବୋଲି କହିଥିଲେ ।
ମା ଗୃହ ତରଫରୁ ସାମନ୍ତି ଦିଗାଲ ସଭା ପରିଚାଳନା କରିଥିବା ବେଳେ ଗିତାଞଳୀ କହଁର, ଗିତାଞଳୀ ମୁଖୀ, ସସ୍ମିତା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସେବା ପାଇଥିବା ମା ମାନଙ୍କୁ ପଚାରିବାରୁ ସେବା ଅତି ଉଚ୍ଚକୋଟିର ବୋଲି କହିବା ସହ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତଙ୍କୁ ସାଧୁବାଦ ଦେଇ ଅନ୍ୟ ମା ମାନଙ୍କୁ ଉତ୍ସାହିତ କରିବାକୁ ମତବ୍ୟକ୍ତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ