


ଭୁବନ,୧୪ ମେ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ର ୧୫ ତମ ସାଧାରଣ ( କାଉନସିଲ ) ବୈଠକ ଗତ ୮ ତାରିଖ ଶୁକ୍ରବାର ଦିନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏନ୍ ଏ ସି ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିଥି ଭାବେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଓ ସାଂସଦ ପ୍ରତିନିଧି ଭାବେ ଭବାନୀ ଶଙ୍କର ବେହେରା ଓ ସମସ୍ତ କାଉନସିଲର ଯୋଗଦେଇଥିଲେ । କାଉନସିଲ ବୈଠକ ପରେ ପ୍ରାୟ ୯ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ବୁଦ୍ଧେଶ୍ୱର ମନ୍ଦିର ଓ ରଗଡ଼ି ଠାରେ ନିର୍ମିତ ବହୁମୁଖୀ ଭବନ,ସୁବିଧା କେନ୍ଦ୍ର,ମଳପଙ୍କ ଉପଚାର କେନ୍ଦ୍ର ଠାରେ ପ୍ରଶାସନିକ ବ୍ଲକ ଏବଂ କାଳୀ ବଜାର ଠାରେ ଆମ ପରମ୍ପରା,ଆମ ପରିଚୟ ଦଶହରା ବଳଦ, କଂସା ପିତଳ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଉଦଘାଟନ କରାଯାଇଥିଲା । ଏହି ପ୍ରକଳ୍ପ ଗୁଡିକର ଉଦଘାଟନୀ ଫଳକରେ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ନାଁ ନଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହୋଇଥିଲା ବେଳେ ସାଂସଦ ପ୍ରତିନିଧିଙ୍କ ନୀରବତା ଆଶ୍ଚର୍ଯ୍ୟ କରିଥିଲା । ଉଦଘାଟନୀ ଫଳକରେ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ନାମ ନଥିବା ସମ୍ପର୍କରେ ବିଭିନ୍ନ ଖବରକାଗଜ ଓ ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇବା ପରେ ଶାସକ ଦଳରେ ବ୍ୟାପକ ଚର୍ଚ୍ଚା, ଆଲୋଚନା ହେବା ସହିତ ରାଜନୈତିକ ମହଲରେ ତୀବ୍ର ସମାଲୋଚନା ପ୍ରକାଶ ପାଇଥିଲା । ଫଳରେ ଗତକାଲି ( ବୁଧବାର) ପୁରୁଣା ଫଳକ ଖୋଲିଦିଆଯାଇ ସାଂସଦ ରୁଦ୍ର ନାରାୟଣ ପାଣି ଙ୍କ ନାମ ଥିବା ନୂତନ ଫଳକ ଲଗାଯାଇଥିବା ଦେଖିବାକୁ ମିଳିଥିଲା। କେବଳ ମିଡିଆ/ଗଣମାଧ୍ୟମ ପ୍ରଭାବରେ ଫଳକରେ ସାଂସଦ ଙ୍କ ନାଁ ରହିଲା ବୋଲି ଜନ ସାଧାରଣରେ ଆଲୋଚନା ହେଉଛି।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ